ରତ୍ନଭଣ୍ଡାର ଓ ମହାପ୍ରଭୁଙ୍କ ଅଳଙ୍କାର


ସାଧାରଣତଃ ଘରେ ସୁନା ରଖିଲେ, ଲୋକ କ'ଣ କରନ୍ତି? ପିନ୍ଧନ୍ତି ବା ମୂଲ୍ୟବାନ ସାମଗ୍ରୀ ଭାବେ ଦୁଃଖ ବେଳେ ବନ୍ଧା ପକାଇ ଏହାକୁ କାର୍ଯ୍ୟରେ ଲଗାନ୍ତି । ଆମ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ମୂଲ୍ୟବାନ ରତ୍ନ ରହିଛି । ତାହାକୁ କିନ୍ତୁ ମହାପ୍ରଭୁ ବ୍ୟବହାର କରିପାରୁନାହାଁନ୍ତି ଅଥଚ ଏହା ନଷ୍ଟ ହେଉଛି । ସେପଟେ ମହାପ୍ରଭୁ ଭଙ୍ଗା ଓ ମରାମତି ହୋଇଥିବା ଅଳଙ୍କାର ପିନ୍ଧୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଟିକିଏ ଛୋଟିଆ କଥା ଚିନ୍ତା କରନ୍ତୁ ଆମ ଘରେ ଆମେ ସବୁ ଏହିପରି ଭଙ୍ଗା ଅଳଙ୍କାରକୁ କୁଆଡ଼େ ପିନ୍ଧିକୁ ଯାଇଥାଉକି? ତାହାହେଲେ ମହାପ୍ରଭୁଙ୍କୁ ଏପରି ଅବସ୍ଥାରେ ରଖି ତାଙ୍କ ରତ୍ନ ଭଣ୍ଡାରକୁ ପ୍ରଶାସନ କଣ କରୁଛନ୍ତି? ଶ୍ରୀ ମନ୍ଦିର ରତ୍ନଭଣ୍ଡାରରେ କେତେ ରତ୍ନ ଏବଂ ଅଳଙ୍କାର ରହିଛି ଏବଂ ଏଗୁଡ଼ିକ ଏବେ କିଭଳି ଅବସ୍ଥାରେ ଅଛି ତାକୁ ନେଇ ଲୋକଙ୍କ ମନରେ ସବୁବେଳେ ଉକ୍ରଣ୍ଠା ଏବଂ ଉତ୍ସୁକତା ଲାଗି ରହିଛି । ରତ୍ନଭଣ୍ଡାର ସୁରକ୍ଷିତ ନୁହେଁ, କାନ୍ଥକୁ ବର୍ଷା ଦିନେ ପାଣି ଝରୁଛି, କାନ୍ଥରେ ଫାଟ ସୃଷ୍ଟି ହୋଇଛି - ମଝିରେ ମଝିରେ ଏଭଳି ଖବର ପ୍ରକାଶ ପାଇଥାଏ । ନିକଟରେ ସ୍କାନିଂ କରାଯାଇ ଏହାର ଯାଞ୍ଚ କରାଯାଇଥିଲା, ଫାଟ ଅଛି ବୋଲି ଜଣାଯାଇଥିଲା ।
୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାରରେ ଥିବା ରତ୍ନ ଆଦିର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ତାହା ଶ୍ରୀ ମନ୍ଦିର ପ୍ରଶାସନକୁ ମଗାଯାଇଛି । ରିପୋର୍ଟ ହସ୍ତଗତ ହେବା ପରେ ରତ୍ନ ଭଣ୍ଡାର ଅନୁଧ୍ୟାନ କରାଯିବ । କେଉଁ ବାକ୍ସରେ କେତେ ଅଳଙ୍କାର ରହିଛି ତାହାର ନମ୍ବର ରହିଛି । ୧୯୭୮ ମସିହାରେ ହୋଇଥିବା ଗଣତି ଓ ମଣତି ପାଇଁ ଚାରି ମାସ ସମୟ ଲାଗିଥିଲା । ସେତେବେଳେ ଅଳଙ୍କାର ଗୁଡ଼ିକର ମାନ ମଧ୍ୟ ପରୀକ୍ଷା କରାଯାଥିଲା । ତେଣୁ ଏତେ ସମୟ ଲାଗିଥିଲା । ଏବେ ମାନ ପରୀକ୍ଷା କରାଯିବ ନାହିଁ । କେବଳ ଗଣତି ଏବଂ ମଣତି କରାଯିବ । ପୂର୍ବ ତାଲିକା ସହିତ ବର୍ତ୍ତମାନ ଗଚ୍ଛିତ ଥିବା ଅଳଙ୍କାରର ମେଳ କରାଯିବ । ତେଣୁ ଏତେ ସମୟ ଲାଗିବ ନାହିଁ ବୋଲି କୁହାଯାଇଛି । ପ୍ରଶ୍ନ ଉଠୁଛି ରଥଯାତ୍ରାବେଳେ ଯେତିକି ସମୟ ମିଳିବ ସେତିକି ସମୟ ଭିତରେ ରତ୍ନ ଆଦିର ଗଣତି ଏବଂ ମଣତି ହୋଇପାରିବ କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତା ଛଡ଼ା ଗଣତି ଓ ମଣତି କରି ପୁଣି ସେଇଠି ରଖିଦେଲେ ଯେ ଆଗାମୀ ଦିନ ପାଇଁ ସେଗୁଡ଼ିକ ସୁରକ୍ଷିତ ରହିବ ସେ କଥା ମଧ୍ୟ ଜୋର ଦେଇ କହିହେବନାହିଁ । ତେଣୁ ଅଳଙ୍କାର ଆଦିର ଭବିଷ୍ୟତ ସୁରକ୍ଷା ପାଇଁ ରତ୍ନଭଣ୍ଡାର ମରାମତି ମଧ୍ୟ ଆବଶ୍ୟକ ।
ମରାମତି ପାଇଁ କେତେ ସମୟ ଲାଗିବ ତା ବୋଧେ ଏବେଠାରୁ କହିହେବନାହିଁ । ଅଳ୍ପ ସମୟ ଭିତରେ କାମଚଳା ମରାମତି କରି ଛାଡ଼ିଦେଲେ ବର୍ଷା ଋତୁରେ ଯେ ପୁଣି ପାଣି ନଝରିବ ଏ କଥା କିଏ କହିବ? ଭିତରେ ପାଣି ଝରୁଛି କି ନାହିଁ ଏହାର ଯାଞ୍ଚ ମଧ୍ୟ ହୋଇପାରିବ ନାହିଁ ଥରେ ରତ୍ନଭଣ୍ଡାରରେ ତାଲା ପଡ଼ିଗଲେ । ତେଣୁ ମରାମତି ପରେ ପୁରା ଗୋଟେ ବର୍ଷା ଋତୁ ଏହା ଉପରେ ନଜର ରଖିବାକୁ ପଡ଼ିବ । ଏହି କାରଣରୁ ରତ୍ନଭଣ୍ଡାରର ରତ୍ନ ସବୁକୁ ଆଉ ଏକ ଅଭେଦ୍ୟ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ । ଏଥିପାଇଁ ପୂର୍ବରୁ ଏକ ଅଭେଦ୍ୟ ମଜଭୁତ ରତ୍ନ ଭଣ୍ଡାର ନିର୍ମାଣର ଆବଶ୍ୟକତା ରହିଛି  । ପୋଲିସ ଏବଂ ସିସିଟିଭି ନଜରରେ ଏହାକୁ ରଖାଯିବା ଦରକାର । ତେରୁ ମୂଳ ରତ୍ନ ଭଣ୍ଡାର ବାଦ ଆଉ ଗୋଟିଏ ରତ୍ନଭଣ୍ଡାର ନିର୍ମାଣର ଆବଶ୍ୟକତା ଯେ ରହିଛି ଏକଥା ଯେ କେହି କହିବେ । ମୂଳରତ୍ନ ଭଣ୍ଡାର ମରାମତି ଭଲ ଭାବେ ହେବା ପରେ ଏବଂ ଗୋଟେ ବର୍ଷା ଋତୁ ଏହାକୁ ଯାଞ୍ଚ କରିବା ପରେ ପୁଣି ଥରେ ସେ ଭଣ୍ଡାରକୁ ରତ୍ନ ସବୁକୁ ସ୍ଥାନାନ୍ତର କରାଯାଇପାରେ ଯଦି ସେହି ସ୍ଥାନରେ ରତ୍ନ ଭଣ୍ଡାର ରହିବାର ନିୟମ ଥାଏ । ରତ୍ନଭଣ୍ଡାରରେ କେତେ ରତ୍ନ ଅଳଙ୍କାର ଅଛି ତାହାର ତାଲିକା ପ୍ରସ୍ତୁତ କରି ରତ୍ନଭଣ୍ଡାର ଭିତରେ ରଖିଦେଲେ ଯେ ଆଗାମୀ ଦିନ ପାଇଁ ଏହା ସୁରକ୍ଷିତ ରହିଲା ବୋଲି ଆମେ ଭାବି ପାରିବା ଏଭଳି ସମ୍ଭାବନା ମଧ୍ୟ ନାହିଁ । ତେଣୁ ଗଣତି-ମଣତି ସହିତ ରତ୍ନଭଣ୍ଡାରର ସ୍ଥାୟୀ ମରାମତି ମଧ୍ୟ ଜରୁରି । ରତ୍ନଭଣ୍ଡାରର ଯାଞ୍ଚ ନିୟମିତ ବ୍ୟବଧାନରେ କରାଯିବା ଉଚିତ । ତିନି ଠାକୁର ଯେ ସବୁବେଳେ ସେଇ ପୁରୁଣା ଅଳଙ୍କାର ପିନ୍ଧୁଥିବେ ଏହାର କୌଣସି ନିୟମ ବୋଧେ ନାହିଁ । ଯେଉଁ ଦାତାମାନେ ଏସବୁ ଅଳଙ୍କାର ଦାନ କରିଛନ୍ତି ସେମାନଙ୍କର ନିଶ୍ଚେ ଇଛା ଥିବା ତିନି ଠାକୁର ଏସବୁକୁ ପିନ୍ଧନ୍ତୁ । ତା ଛଡ଼ା ଆମ ଠାକୁର ତ ଆଭୂଷଣପ୍ରିୟ । ତେଣୁ ପୁରୁଣା ଅଳଙ୍କାର ବଦଳରେ ନୂଆ ଅଳଙ୍କାର କଢ଼ାଯିବା ମଧ୍ୟ ଦରକାର । ମହାପ୍ରଭୁ କ'ଣ ମୁହଁ ଖୋଳି ଏକଥା କହିବେ?
ଗଙ୍ଗାଧର ସାମଲ,ମୋ : ୯୪୩୭୨୨୬୬୪୭