ଅପରାଜିତାଙ୍କ ତଣ୍ଟିରେ ଅସନ୍ତୁଷ୍ଟ କଣ୍ଟା
ଅପରାଜିତାଙ୍କ ତଣ୍ଟିରେ ଅସନ୍ତୁଷ୍ଟ କଣ୍ଟା #AparajitaSarangi
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଧିରେଧିରେ ଅଡ଼ୁଆ ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ହେଉକି ବେଗୁନିଆ, ଜଟଣୀ ହେଉକି ଜୟଦେବ ସବୁଠି ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେବେ ଫେସ ଭାଲ୍ୟୁ ପାଇଁ ଭୁବନେଶ୍ୱରର ସହରୀ ଭୋଟରଙ୍କୁ ହିଁ ସେ ଆକର୍ଷିତ କରିବାରେ ସମର୍ଥ ହୋଇଛନ୍ତି । ତେବେ ଗତଥର ଅପରାଜିତା ଖୋର୍ଦ୍ଧା, ବେଗୁନିଆ, ଜଟଣୀରେ ଯେତିକି ଭୋଟ ଭିଡ଼ିଥିଲେ ଏବେ ସେଇଠାରେ ହିଁ ବହୁ କେଁ ରହିଯାଇଛି । ଖାଲି ସେତିକିନୁହେଁ ଭୁବନେଶ୍ୱରର ତିନି ଆସନରେ ବି କେତେକ ବିଜେପି ନେତା ତାଙ୍କ ଉପରେ ଖପ୍ପା ଥିବା ଜାଣିବାକୁ ମିଳିଛି ।
ଉତ୍ତର ଭୁବନେଶ୍ୱରରେ ୨୦୧୯ରେ ଅପରାଜିତା ୬୫ ହଜାର ଭୋଟ୍ ପାଇଥିଲେ । ସେଠାରେ ବିଜେଡ଼ିର ସ୍ଥିତି ମଜବୁତ୍ ଥିଲେବି ସେ ଅଳ୍ପ ହେଉପଛେ ଅଗ୍ରଣୀ ହାସଲ କରିଥିଲେ । ବିଶେଷକରି ଦେବାଶିଷ ନାୟକଙ୍କ ସଂଗଠନ ତାଙ୍କୁ ବେଶ୍ ସହାୟକ ହୋଇଥିଲା । ଜିମ୍ ବାପିଙ୍କର ଭଲ ଯୁବ ସଂଗଠନ ରହିଛି । କିନ୍ତୁ ଗତ ବର୍ଷେ ହେଲା ଅପରାଜିତାଙ୍କୁ ସେ ହରାଇବା ପାଇଁ ରଣନୀତି କରୁଛନ୍ତି । ଏବେ ସେ ବିଭିନ୍ନ ପଞ୍ଚାୟତ ଓ ୱାଡର଼୍ ବୁଲି ଅପରାଜିତାଙ୍କ ବିରୋଧରେ ମେଳି ଆରମ୍ଭ କରିଦେଇଛନ୍ତି । ସେହିପରି ଅପରାଜିତାଙ୍କ ପରାମର୍ଶରେ ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ ମିଳିଥିବାରୁ ଦିଲ୍ଲୀପ ମହାନ୍ତି ଓ ଗୋଲକ ମହାପାତ୍ର ବି ଅସନ୍ତୁଷ୍ଟ ଥିବା ଜାଣିବାକୁ ମିଳିଛି ।
ଜଟଣୀରେ ଗତଥର ଅପରାଜିତା ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏକପାଖିଆ ଭାବେ ସେ କଂଗ୍ରେସ ଭୋଟ ଟାଣି ନେଇଥିଲେ । ଏବେ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଟିକେଟ ଦେଇ ବିଜେଡ଼ି ଚେକ୍ ଦେଇଛି । ସୁରଙ୍କ ୭୫% ଭୋଟ ଏବେ ମନ୍ମଥଙ୍କ ଖାତାକୁ ଯିବା ନିଶ୍ଚିତ । ସେହିପରି ସନ୍ତୋଷ ଜେନାଙ୍କୁ ବିଜେପି ଟିକେଟ ମିଳିଥିଲେ ହୁଏତ ବିଜେପି ଭଲ ଲଢେ଼ଇ କରିଥା’ନ୍ତା । କିନ୍ତୁ ସନ୍ତୋଷ ଏବେ କଂଗ୍ରେସରୁ ଲଢୁଛନ୍ତି । ଗାଏମୋଟ କହିଲେ ଜଟଣୀରୁ ଏଥର ଅତିକମରେ ୨୦ ହଜାର ଭୋଟ ପଛରେ ପଡ଼ିବେ ଅପରାଜିତା ।
ଅପରାଜିତାଙ୍କ ବଡ଼ ଶକ୍ତି ହେଉଛି ଖୋର୍ଦ୍ଧା । ପୂର୍ବରୁ ଜିଲ୍ଲାପାଳ ମଧ୍ୟ ଥିଲେ । ଏବେବି ଅପରାଜିତାଙ୍କ ଲୋକପ୍ରିୟତା ରହିଛି । କିନ୍ତୁ ରାଜନୀତିକ ସମୀକରଣ ତାଙ୍କ ବିପକ୍ଷରେ ଯାଇଛି । କାଳୁ ଖଣ୍ଡାୟତିରାୟଙ୍କ ବଦଳରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ମିଳିଛି । ପୂର୍ବରୁ ଯେଉଁମାନେ ଅପରାଜିତାଙ୍କ ପଛେପଛେ ବୁଲି ଜିନ୍ଦାବାଦ ନାରାରେ କମ୍ପାଇ ଦେଉଥିଲେ ଏବେ ସେମାନେ କଟାକ୍ଷ, କୁତ୍ସାରଟନା ବି ଆରମ୍ଭ କରିଦେଇଛନ୍ତି । କାଳୁ ବି ହଜାର ହଜାର ଲୋକ ମେଳ କରି ଅପରାଜିତାଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ଯାହାକି ଖୋର୍ଦ୍ଧାରେ ଅପରାଜିତାଙ୍କୁ ଝଟକା ଦେବବୋଲି ଚର୍ଚ୍ଚା ହେଉଛି ।
ବେଗୁନିଆରେ ବି ସମାନ ଅବସ୍ଥା । ମୂଳ ବିଜେପି ନେତା ଓ କର୍ମୀମାନେ ଗତ ଦୁଇବର୍ଷ ଧରି ଅପରାଜିତାଙ୍କ ପାଖ ମାଡୁନାହାନ୍ତି । ଏବେବି ସେମାନେ ଅପରାଜିତାଙ୍କ ବିରୋଧରେ ମେଳି କରୁଛନ୍ତି । ୪୦ ପଞ୍ଚାୟତର ଅନେକ ଆଗଧାଡ଼ିର ନେତା ଓ ମଣ୍ଡଳ ସଭାପତିମାନେ ବିରୋଧ ଜାରି ରଖିଛନ୍ତି । ସେପଟେ ଗଲାଥର ପ୍ରଦୀପ ସାହୁଙ୍କ କଂଗ୍ରେସ ଭୋଟ ସବୁ ଅପରାଜିତାଙ୍କ ଖାତାକୁ ଯାଇଥିଲା । ଏବେ ପ୍ରଦୀପ ବିଜେଡ଼ିକୁ ଆସିବା ସହ ଟିକେଟ ପାଇଛନ୍ତି । ତେଣୁ ବେଗୁନିଆରେ ବି ବିଜେପି ଭୋଟ କମିବା ନିଶ୍ଚିତ ।
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତାଙ୍କ ପାଇଁ ରାଜନୀତିକ ସମୀକରଣ ସେତିକି ଜଟିଳ ହେବାରେ ଲାଗିଛି । ସେ ଯେତେ ଚେଷ୍ଟାକଲେବି ଅସନ୍ତୁଷ୍ଟଙ୍କୁ ବୁଝାଇବାରେ ସଫଳ ହୋଇନାହାନ୍ତି । ତାଙ୍କର ଏକଲା ଚଲୋ ନୀତି ପାଇଁ ଅନେକ ନେତା ଖପ୍ପା ଥିବାରୁ ଗାଁ ଗାଁରେ କିଏ ତାଙ୍କ ପାଇଁ ଭୋଟ ଭିଡ଼ିବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ସେପଟେ ପ୍ରାର୍ଥୀତ୍ୱ ଦୃଷ୍ଟିରୁ ଅପରାଜିତାଙ୍କ ସହ ମନ୍ମଥ ସମକକ୍ଷ ନଥିଲେବି ରାଜନୀତିକ ସମୀକରଣ ତାଙ୍କ ସପକ୍ଷରେ ରହିଛି । ଫଳରେ ଦିନକୁ ଦିନ ମନ୍ମଥଙ୍କ ପଲା ଭାରି ହେବାରେ ଲାଗିଛି ।