ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ନିଶା ନିବାରଣ କେନ୍ଦ୍ର

ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ନିଶା ନିବାରଣ କେନ୍ଦ୍ର

 
 ଭୁବନେଶ୍ୱର, ୬ା୫ : ଅପରାଧିକଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ନିଶା ନିବାରଣ କେନ୍ଦ୍ର । ସେମାନେ ଅପରାଧ ଘଟାଇବା ପରେ ପୁଲିସ ଗିରଫରୁ ବର୍ତ୍ତିବା ପାଇଁ ଜାଣିଶୁଣି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଉଛନ୍ତି । ତା ପରେ ସେଠାରେ ସେମାନେ ଜାଣିଶୁଣି ନିଶାଡ଼ିଙ୍କ ଅଭିନୟ କରୁଛନ୍ତି । ୩ରୁ ୪ମାସ କେନ୍ଦ୍ରରେ ରହିବା ପରେ ବାହାରି ପୁଣି ଅପରାଧ ଘଟାଉଛନ୍ତି । ପୁଲିସ ତଦନ୍ତ କରିବା ସମୟରେ ଅଭିଯୁକ୍ତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତିର୍ ହୋଇଥିବା ଜାଣିବା ପରେ ସେଇଟି ତଦନ୍ତ ଅଟକି ଯାଉଛି । ଅଭିଯୁକ୍ତ ଜଣେ ନିଶାଡ଼ି ହୋଇଥିବାରୁ ପୁଲିସ ଦୟା ଦେଖାଇ ଗିରଫ କରିପାରୁନାହିଁ  । ଯାହାର ଫାଇଦା ନେଉଛନ୍ତି ଅପରାଧୀ । ଯାହାଫଳରେ ଅପରାଧୀ ମାନେ ସେଠାରେ ଭଲରେ ରହି ନିଶାଡ଼ି ଭଳି ଅଭିନୟ କରି ପୁଲିସ ନଜରରୁ ବର୍ତ୍ତି ଯାଉଛନ୍ତି । ଗତ କିଛି ମାସ ହେବ ଅପରାଧୀ ନିଶା ନିବାରଣ କେନ୍ଦ୍ରରେ ଲୁଚୁଥିବା ପୁଲିସ ଜାଣିବାକୁ ପାଇଛି । କାରଣ ରାଜଧାନୀରେ ଏଭଳି ଭାବରେ ୪ଟି ଘଟଣା ଦେଖିବାକୁ ମିଳିଛି । ନିକଟରେ ଖଣ୍ଡଗିରି ଥାନା ପୁଲିସ ନିଶା ନିବାରଣ କେନ୍ଦ୍ରରୁ ୪ଜଣ ଲୁଟେରାଙ୍କୁ ଗିରଫ କରିଥିଲା । ସେମାନେ ଏକାଧିକ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍ପାଟ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ପରେ ଅଭିଯୁକ୍ତମାନେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ପାଇନଥିଲେ । ଶେଷରେ ଅଭିଯୁକ୍ତମାନେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସୁନାଚେନ୍ ଲୁଟ୍ କରିଥିଲେ । ସେହିପରି ଏକ ଚୋରି ମାମଲାରେ ଅଭିଯୁକ୍ତମାନେ ନିଶା ନିବାରଣ କେନ୍ଦ୍ରରେ ଆଡ୍ମିଟ୍ ହୋଇ ରହିଥିଲେ । କେବଳ ସହିଦନଗର ନୂହେଁ ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ହେଲେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ତଥ୍ୟ ପୁଲିସ ନିକଟରେ ରହୁନାହିଁ ।
 ସୂଚନା ଥାଉକି, ସହରରେ ପ୍ରତିଦିନ ଛତୁ ଫୁଟିଲା ପରି ନିଶା ନିବାରଣ କେନ୍ଦ୍ର ଖୋଲି ଚାଲିଛି । ସେଠାରେ ନିର୍ଯାତନା ଏବଂ ଅନ୍ୟାନ ଅପରାଧ ଘଟଣା ମଧ୍ୟ ବିଗତ ଦିନରେ ଦେଖିବାକୁ ମିଳିଛି । ନିଶା ନିବାରଣ କେନ୍ଦ୍ର ପାଇଁ ସେଭଳି କିଛି ନିୟମ ନଥିବାରୁ ମାଲିକମାନେ ମନମାନି ଚଳାଇଛନ୍ତି । ଭର୍ତ୍ତି ହୋଇଥିବା ନିଶାଡ଼ିଙ୍କୁ ମାଡ଼ ମାରି ହତ୍ୟା ମଧ୍ୟ କରୁଛନ୍ତି । ଯାହାଫଳରେ ସେଠାରେ ପ୍ରତିଦିନ ଭର୍ତ୍ତି ହୋଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପୁଲିସ ନିକଟରେ ନାହିଁ । ଯେଉଁଥି ପାଇଁ ଅପରାଧୀମାନେ ସେଠାରେ ଭର୍ତ୍ତି ହେଲେ ମଧ୍ୟ ପୁଲିସ ଜାଣି ପାରୁନାହିଁ । ଯଦି ହୋଟେଲ ଏବଂ ଲଜ୍ ଯେପରି ପୁଲିସକୁ ଆସୁଥିବା ଗ୍ରାହକଙ୍କ ତଥ୍ୟ ଦେଉଛି, ସେହିଭଳି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଉଥିବା ବ୍ୟକ୍ତି ତଥ୍ୟ ଦିଆଯିବ ଆବଶ୍ୟକ ବୋଲି ଅନେକ ଆଇନ୍ଜୀବୀ ମତ ଦେଇଛନ୍ତି । ଏହା ହେବା ଦ୍ୱାରା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଉଥିବା ଅପରାଧୀଙ୍କ ସମ୍ପର୍କରେ ପୁଲିସ ତଥ୍ୟ ପାଇପାରିବ । କୌଣସି ଅପରାଧୀ କେନ୍ଦ୍ରରେ ଲୁଚିଥିଲେ ପୁଲିସ ତାଙ୍କୁ ଧରିନେବ । ଗିରଫ ଭୟରେ ମେଡ଼ିକାଲ ବାହାନା, ଅନେକ ଅପରାଧି ଗିରଫ ଭୟରେ ମେଡ଼ିକାଲ ବାହାନା ଦେଖାଉଛନ୍ତି । କିଏ ଏଚ୍ଆଇଭି ହୋଇଥିବା କହୁଛନ୍ତି ତ, ଆଉ କାହାର ପେଟରୋଗ । ଏପରିକି ସେମାନେ ମିଛ ମେଡିକାଲ ସାର୍ଟିଫିକେଟ୍ ପାଇଁ ଯାଉଛନ୍ତି । ପୁଲିସ ସେମାନଙ୍କୁ ଧରିବାକୁ ଯିବା ସମୟରେ ମେଡ଼ିକାଲ ସାର୍ଟିଫିକେଟ୍ ଦେଖାଇ ଖସିଯାଉଛନ୍ତି । ଅଭିଯୁକ୍ତଙ୍କ ଏଭଳି ନାଟକ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଅପରାଧୀଙ୍କୁ ଧରିବାକୁ ଯିବା ସମୟରେ ତାର ନାଟକ ସମ୍ପର୍କରେ ପୁଲିସ ଜାଣିବା ନିହାତି ଆବଶ୍ୟକ ବୋଲି କିଛି ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି ।