ଘରେ ପଶି ବାସନକୁସନ ଚୋରି ; ଅଭିଯୁକ୍ତ ଗିରଫ

ଘରେ ପଶି ବାସନକୁସନ ଚୋରି ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୬ା୫ : ବିଳମ୍ବିତ ରାତିରେ ଘରେ ପଶି ସିଡି ରୁମରୁ ବାସନକୁସନ ଚୋରି । ଏନେଇ ଥାନାରେ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲା ରୁଜୁକରି ସିସିଟିଭି ଫୁଟେଜରୁ ଲୁଟେରାକୁ ଚିହ୍ନଟ କରି ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଚୋରି ବାସନକୁସନ ମଧ୍ୟ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ଡ଼ମଣା ଛକ ନିକଟ ନୀଳପଡ଼ିଆ ବସ୍ତିର ରାମ ଟୁଡୁ ଓ ହାଟ ବସ୍ତିର ଶରତ କୁମାର ମାଣିକ ।
 ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ପ୍ରଦୀପ୍ କୁମାର ପ୍ରଧାନ ଶୈଳଶ୍ରୀବିହାର ଅନ୍ତର୍ଗତ ସରସ୍ୱତୀ ବିହାର ଠାରେ ଥିବା ପ୍ଲଟ୍ ନମ୍ବର ୬୨/୭୨୧୪ରେ ସପରିବାର ସହ ରୁହନ୍ତି । ଗତ ୩ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ରାମୁ ଟୁଡୁ ଓ ତାର ସହଯୋଗୀ ଅଭିଯୋଗକାରୀଙ୍କ ଘରେ ପଶି ସିଡି ରୁମରୁ ବାସନକୁସନ ସବୁକୁ ଚୋରି କରି ନେଇ ଡମଣା ହାଟ ନିକଟ କବାଡିଆ ଦୋକାନୀକୁ ବିକ୍ରି କରିଦେଇଥିଲେ । ପରଦିନ ସକାଳୁ ଅଭିଯୋଗକାରୀ ଘରୁ ବାସନକୁସନ ଚୋରି ହୋଇଥିବା ଜାଣି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ସୋମବାର ଦିନ ୨ ଲୁଟେରାଙ୍କୁ ଗିରଫ କରିଛି ।