ମାଫିଆଙ୍କ ଶଲାସୂତରାରେ ବାହାରକୁ କୋଇଲା ଚାଲାଣ
ତାଳଚେର: ତାଳଚେର ଅଂଚଳରେ ଲିଙ୍ଗରାଜ ଖୋଲାମୁହଁ କୋଇଲା ଖଣି ଠାରୁ ଆରମ୍ଭ କରି ଭୁବନେଶ୍ୱରୀ, କଣିହାଁ, ଜଗନ୍ନାଥ, ଅନନ୍ତ, ଭରତପୁର, ବଳରାମ, ହିଙ୍ଗୁଳା ରହିଥିବା ବେଳେ ଡ଼େରା ଓ ନନ୍ଦିରା ଭୂତଳ କୋଇଲା ଖଣି ରହିଛି । ଏହି କୋଇଲା ଖଣି ଗୁଡ଼ିକରେ ସ୍ୱଚ୍ଛତା ଓ ଉତ୍ତମ ଶାସନକୁ ସୁନିଶ୍ଚିତ କରିବା ଦିଗରେ ଏମସିଏଲ ନିଜସ୍ୱ ଭିଜିଲାନ୍ସ ଟିମ ବାରମ୍ବାର ଏଠାକୁ ଆସି ଯାଂଚ କରିବା ଅପଚାରିକତା ନା ଆଉ କିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହିଙ୍ଗୁଳା କୋଇଲା ଖଣିରେ ବିଗତବର୍ଷ ଗୁଡ଼ିକରେ ମାଟି ଗଦା ଉପରେ କୋଇଲା ଷ୍ଟକ ରଖି ମେଜରମେଂଟ୍ କରାଯାଇଥାଏ ବୋଲି ଅଭିଯୋଗ ହୋଇଥାଏ । ଏକଥା ସମସ୍ତଙ୍କୁ ଜଣା ରହିଥିଲେ ମଧ୍ୟ ଭିଜିଲାନ୍ସ ଟିମ କିପରି ଭାବେ ଏହା ଜାଣିପାରୁ ନାହିଁ ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପାଇଛି । କୋଇଲା ଖଣିରୁ ଭିନ୍ନ ଭିନ୍ନ ସମୟରେ କେତେକ ଅସାଧୁକର୍ମଚାରୀ ଓ କୋଇଲା ମାଫିଆଙ୍କ ସଲାସୁତରାରେ ଶହଶହ ଟି୍ରପ୍ ଚୋରା କୋଇଲା ବାହାରକୁ ଚାଲଣ ହେଉଥିବା ଅଭିଯୋଗ ହୋଇଛି । ମାଫିଆମାନେ ଏସଟିଏଫ୍ ଟିମ ହାବୁଡ଼ରେ ଧରା ପଡ଼ୁଥିବା ଘଟଣା ଚର୍ଚ୍ଚା ପରିଧିକୁ ଆସିଥିବା ବେଳେ କିପରିଭାବେ ଭିଜିଲାନ୍ସ ଟିମ୍ ଏହାର ଟେର୍ ପାଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଭାବେ ସମସ୍ତ କୋଇଲା ଖଣି ଗୁଡ଼ିକରୁ ଟ୍ରିପ୍ ଟି୍ରପ୍ ଚୋରା କୋଇଲା ଅଭିନବ ଉପାୟରେ ଖଣି ଗୁଡ଼ିକରୁ ଏମସିଏଲ ନିଜସ୍ୱ ସୁରକ୍ଷାକର୍ମୀ ଓ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ନିଯୁକ୍ତି ହୋଇଥିଲେ ମଧ୍ୟ ଏତେ ସଂଖ୍ୟକ କୋଇଲା ଚୋରି ହେଉଥିବା ଘଟଣା ନିତିଦିନିଆରେ ପରିଣତ ହେଲାଣି ବୋଲି ଅଭିଯୋଗ ହେଉଛି । ଏହି ଘଟଣାର ଯଦି ନିରପକ୍ଷ ତଦନ୍ତ କରାଯାଏ ପ୍ରକୃତ ସତ୍ୟସତ୍ୟା ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି ।