ମାର୍ଥାପୁର ଅଗ୍ନିକାଣ୍ଡ (୨)

ମାର୍ଥାପୁରରେ ଅଗ୍ନିକାଣ୍ଡ ଘଟିବାର ପରଦିନ ଅର୍ଥାତ୍ ୧୯୬୪ ମେ ୧୮ ତାରିଖ ଅପରାହ୍ନରେ କାମାକ୍ଷାନଗର ତହସିଲଦାର, ଉପଜିଲ୍ଲାପାଳ ଓ ଭୁବନ ବିଡିଓ କିଛି କର୍ମଚାରୀଙ୍କ ସହ ଚଡା, ଗୁଡ ଓ ଚାଉଳ ଧରି ପହଁଞ୍ଚôଲେ । ଲୋକମାନଙ୍କୁ ଚୁଡା, ଗୁଡ ଓ ଚାଉଳ ବଣ୍ଟାଗଲା । ଯାହାକି ଥିଲା ସମୁଦ୍ରକୁ ଶଙ୍ଖେ ପରି । ତିନିଶହ ପରିବାର ଗୃହଶୂନ୍ୟ ହୋଇଥିଲେ ହେଁ ପାଲ ଖଣ୍ଡିଏ ଲେଖାଏ ମଧ୍ୟ ଯୋଗାଇ ଦିଆଯାଇନଥିଲା ବା ଲୁଗା ବଣ୍ଟା ଯାଇନଥିଲା । ପରେ ଅବଶ୍ୟ ସ୍ୱଳ୍ପ ଲୋକଙ୍କୁ ଲୁଗା ଦିଆଯାଇଥ୍ôଲା । ତାପରେ କେଉଁ କେଉଁ ମାନଙ୍କ ଘର ପୋଡିଯାଇଛି ତାଲିକା ପ୍ରସ୍ତୁତ କରାଯାଇ ସାତଦିନ ପରେ କିଛି କିଛି ଟଙ୍କା ଦିଆଗଲା । ଗୃହ ନିର୍ମାଣ ନିମିତ୍ତ କାଠ ବା ବାଉଁଶ ଯୋଗାଇ ଦେବାର କୌଣସି ବ୍ୟବସ୍ଥା ନଥିଲା । କେବଳ କୁହାଗଲା ଯେଉଁମାନେ ଚାହିଁବେ ସେମାନଙ୍କୁ ବିନା ରୋୟାଲ୍ଟିରେ ହଳଦୀକୁଣ୍ଡ ସଂରକ୍ଷିତ ଜଙ୍ଗଲରୁ କାଠ ଯୋଗାଇ ଦିଆଯିବ । ହଳଦୀକୁଣ୍ଡ ଆମ ଘର ଠାରୁ ତିରିଶ କିଲୋମିଟର ଦୂରରେ ଏବଂ ଦୁର୍ଗମ ପଥ । ସେଠାକୁ ଯିବ କିଏ ଏବଂ ଗଲେ କାଠ ଆଣିବ କେମିତି ? ମୋଟ ଉପରେ ଦେଖିଲେ ଏହି ସରକାରୀ ସାହାଯ୍ୟ ଏକ ପ୍ରହସନ ସଦୃଶ ପ୍ରତୀୟମାନ ହେଲା । ବହୁଲୋକ ଯାଇ ପ୍ରଥମେ ଚୁଡା ଚାଉଳ ଆଣିଲେ ଓ ପରେ ଟଙ୍କା ଆଣିଲେ । ବାପା କିିଛି ଆଣିବାକୁ ଗଲେନାହିଁ । ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ହୋଇଥିବାରୁ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓ ଟଙ୍କା ଓ ଚାଉଳ ଧରି ଆମ ଘରକୁ  ଆସିଲେ । ବାପା ବିନମ୍ରତାର ସହ କହିଲେ, “ଏହା ସବୁ ଛତର ଜିନିଷ ବା ଟଙ୍କା ମୁଁ ନେବିନାହିଁ । ଆପଣ ଗରିବ ଲୋକଙ୍କୁ ବାଣ୍ଟି ଦିଅନ୍ତୁ । ଏଡେ ବଡ ଘରପୋଡି ହେଲାପରେ ଢେଙ୍କାନାଳର ଲୋକସଭା ସଦସ୍ୟ, କାମାକ୍ଷାନଗର ବିଧାୟକ ବା କୌଣସି ମନ୍ତ୍ରୀ ଯେତେବେଳେ ଦୁଃସ୍ଥ ଓ ଅସହାୟ ଗ୍ରାମବାସୀଙ୍କୁ ସମବେଦନା ଜଣାଇବାକୁ ଉଚିତ ମନେକଲେନାହିଁ ସେମାନଙ୍କ ଦ୍ୱାରା ଗଠିତ ସରକାରଙ୍କର କୌଣସି ସାହାଯ୍ୟ ମୁଁ ନେବିନାହିଁ ।” ବାପା ସ୍ପଷ୍ଟବାଦୀ । ତାଙ୍କ କଥା ଶୁଣି ପଦାଧିକାରୀମାନେ କୌଣସି ପ୍ରତିବାଦ କଲେ ନାହିଁ  । ଏହା ସତ୍ୟ ଯେ, ଘରପୋଡିରେ କୌଣସି ଲୋକ ପ୍ରତିନିଧି ବା ମନ୍ତ୍ରୀ ଗାଁକୁ ଆସିନଥିଲେ । ତେଣୁ ପଦାଧିକାରୀମାନେ ବାପାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରିନଥିଲେ ।
ଗାଁ ଲୋକେ ସରକାରଙ୍କ ସାହାଯ୍ୟକୁ ଭରସା କରିନଥିଲେ । କେବଳ ଯାହା ମିଳିଲା କାନିରେ ବାନ୍ଧିବା ନ୍ୟାୟରେ ତହସିଲଦାରଙ୍କ ଠାରୁ ଗ୍ରହଣ କରିଥିଲେ । ଯେମିତି ହେଲେ ବାସଗୃହ ଖଣ୍ଡେ ନିର୍ମାଣ କରିବାକୁ ପଡିବ । ମନୁଷ୍ୟର ଚାରିଗୋଟି ମୌଳିକ ଆବଶ୍ୟକତା ରହିଛି । ସେଗୁଡିକ ହେଉଛି ବଞ୍ଚôବା ପାଇଁ ମୁଠାଏ ଅନ୍ନ, ଲଜ୍ଜାନିବାରଣ ପାଇଁ ଖଣ୍ଡେ ବସ୍ତ୍ର, ନିବାସ କରିବା ପାଇଁ ଖଣ୍ଡେ ବାସଗୃହ ଏବଂ ସାମାଜିକ ହେବା ପାଇଁ ଲୋକସମ୍ପର୍କ । ଏହି ଚାରିଗୋଟି ମୌଳିକ ଆବଶ୍ୟକତାକୁ ଆଧାର କରି ଶହ ଶହ ସଂଖ୍ୟାରେ ଆବଶ୍ୟକତା ବୃଦ୍ଧି ପାଇଛି, ଯାହା ଦୁଃଖର କାରଣ । ଏହି ଚାରି ଗୋଟି ମୌଳିକ ଆବଶ୍ୟକତା ମଧ୍ୟରୁ ବାସଗୃହ ଗୋଟିଏ । ଆମ ଗାଁରେ ବହୁତ ଦରିଦ୍ର ବ୍ରାହ୍ମଣ ନିବାସ କରନ୍ତି, ଯେଉଁମାନେ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କରେ ପୁରୋଧା କାର୍ଯ୍ୟକରି କୁଟୁମ୍ବ ପ୍ରତିପୋଷଣ କରନ୍ତି । ଯେଉଁମାନେ ଧନୀ ଲୋକ, କାଠଖୁଣ୍ଟ ବାଉଁଶ  ନଡା କିଣି ଘର ତିଆରି ଆରମ୍ଭ କଲେ । କେହି କେହି ବନ୍ଧୁବାନ୍ଧବଙ୍କ ସାହାଯ୍ୟରେ କାମ ଆରମ୍ଭ କଲେ ।  ଅନ୍ୟ କେତେକ ଯଜମାନଙ୍କୁ ମାଗି ଘରତିଆରି ଆରମ୍ଭ କଲେ । ଆମର ଧନ ନଥିଲା ବା ଯଜମାନ ନଥିଲେ, କିନ୍ତୁ ଘରଟିର ଏକାନ୍ତ ଆବଶ୍ୟକତା ଥିଲା । ବାପା କୌଣସି ଚାକିରି କରୁନଥିଲେ ବା ବ୍ୟବସାୟ କରୁନଥିଲେ, ବରଂ ସ୍ୱାଧୀନତା ସଂଗ୍ରାମ ସମୟରେ ପୋଲିସ୍ ମାଡରେ ଅକର୍ମଣ୍ୟ ହୋଇଯାଇଥିଲେ । ତେଣୁ ବାଧ୍ୟ ହୋଇ ଘର କରିବା ପାଇଁ ସେ ଜମି ଖଣ୍ଡିଏ ବିକ୍ରୟ କଲେ । ସେହି ଟଙ୍କାରେ କାଠ, ବାଉଁଶ ଓ ନଡା କିଣା ହୋଇ ଘର ତିଆରି ଆରମ୍ଭ ହେଲା । ସମସ୍ତଙ୍କର ଘର ତିଆରି ହେଉଥିବାରୁ ମିସ୍ତ୍ରୀ ଓ ମୂଲିଆଙ୍କର ଏକାନ୍ତ ଅଭାବ ଥାଏ । ଗୟାଧର ମଉସା କଙ୍କା ଗ୍ରାମରୁ ଜଣେ ବଢେଇ ଓ ଦୁଇଜଣ ମୂଲିଆ ଆଣିଲେ । ସେମାନେ ଘର ଆରମ୍ଭ କରିବାରୁ ଆମେ ଟିକିଏ ଆଶ୍ୱସ୍ତ ହେଲୁ । ଘରତିଆରି ପାଇଁ ଯମୁନାକୋଟ ଓ ବେଢାପାଳ ଗ୍ରାମରୁ କାଠ ଓ ଜରାଳ ଗ୍ରାମରୁ ବାଉଁଶ କିଣାହୋଇ ଆସିଲା ।
ଘରପୋଡିର ଚାରିଦିନ ପର୍ଯ୍ୟନ୍ତ ଆମେ ଭାତ ଖାଇନଥିଲୁ । କେବଳ ଚୁଡା ମୁଢ଼ି ଖାଇ ରହିଥିଲୁ । ଆମେ ରହିଥିବା ଆମ୍ବଗଛମୂଳେ ମାଆ ଗୋଟିଏ ଅସ୍ଥାୟୀ ଚୁଲି ତିଆରି କଲେ । କିନ୍ତୁ ରୋଷେଇ କରିବାକୁ ଚାଉଳ ନଥାଲା । ଗାଁରେ କୌଣସି ଠାରେ ଚାଉଳ ମିଳୁନଥାଏ । ସମସ୍ତେ ତହସିଲଦାର ଦେଇଥିବା ଚାଉଳ ରୋଷେଇ କଲେ । ବାପା ତ ତହସିଲଦାରଙ୍କ ଚାଉଳ ଆଣିଲେ ନାହିଁ । ଘରପୋଡି ପୂର୍ବରୁ ଉଦ୍ଧାର ହୋଇଥିବା ଡବାରେ କିଛି ଚାଉଳ ଥିଲା । ଆନୁମାନିକ ଅଧକିଲୋରୁ ଟିକିଏ ଅଧିକ ହେବ । ମାଆ ଆଗ ଡାଲମା କଲେ, ଡାଲମା ଅର୍ଥାତ୍ ମୁଗଡାଲି ଓ ଆଳୁ । ଅନ୍ୟ ପରିବା ମିଳିବାର ସମ୍ଭାବନା ନଥିଲା । ଡାଲମା ପରେ ମାଆ ଚୁଲିରେ ଭାତ ବସାଇଲେ । ଚାରିଦିନ ହେଲା ମୁଁ ଭାତ ଖାଇନାହିଁ । ତେଣୁ  ଭାତ ଖାଇବାକୁ ବ୍ୟଗ୍ର ହୋଇପଡିଲି । ଭାତ ହେବାପରେ ମାଆ ବାଢ଼ିବାକୁ ଯାଉଛନ୍ତି ତ ଜଣେ ଭିକାରି ଆସି ପହଁଞ୍ଚôଲେ ଏବଂ ଭାତ ଗଣ୍ଡେ ଦେବାକୁ ନେହୁରା ହେଲେ । ସେ ସାତଦିନ ହେବ କିଛି ଖାଇନାହାଁନ୍ତି ବୋଲି କହିେଲେ । ତାଙ୍କ କଙ୍କାଳସାର ଶରୀରରୁ ଜଣାପଡୁଥିଲା ସେ କିଛି ଖାଇନାହାଁନ୍ତି । ବାପା ମାଆଙ୍କୁ ତାଙ୍କୁ ଭାତ ସବୁ ଦେଇଦେବାକୁ କହିଲେ । ମାଆ ରାଜି ହେଲେନାହିଁ । କାରଣ ଆମେ ଚାରିଦିନ ହେବ ଖାଇନଥିଲୁ । ବାପା ମାଆଙ୍କୁ ବୁଝାଇଲେ ଏବଂ କହିଲେ ଯେ, ଆମେ ଚାରିଦିନ ହେବ ଚୁଡାମୁଢ଼ି ଖାଉଛେ, ସେ ଲୋକଟି ସାତଦିନ ହେବ ଖାଇନାହିଁ । ଆମ ଅପେକ୍ଷା ଅନ୍ନ ତା ପାଇଁ ନିତାନ୍ତ ପ୍ରୟୋଜନ । ବାପା ମାଆଙ୍କୁ କହିଲେ, “ଅନ୍ନଦାନ ଠାରୁ ପୁଣ୍ୟ ନାହିଁ । ତୁମେ ତାକୁ ସବୁ ଅନ୍ନ ଓ ଡାଲମା ଦେଇଦିଅ । ହୁଏତ ଏତିକି ତାକୁ ପାଇବ କି ନାହିଁ ସନେ୍ଦହ । ସେ କ୍ଷୁଧାର୍ତ୍ତ, ତାର କ୍ଷୁଧା ମେଣ୍ଟିଲେ ଭଗବାନ ଆମକୁ  ଖାଇବାକୁ ଦେବେ । ତେଣୁ ତାକୁ ତୁରନ୍ତ ଅନ୍ନ ଓ ଡାଲମା ଦେଇଦିଅ । ମାଆ ଆମେ ରହୁଥିବା ଆମ୍ବଗଛ ମୂଳରେ ଟିକିଏ ଦୂରରେ ବେଲଗଛ ମୂଳେ ସେହି ଭିକାରିକୁ କଦଳୀପତ୍ରରେ ଅନ୍ନ ଓ ଡାଲମା ଦେଲେ । ଲୋକଟି କ୍ଷୁଧାତୁର ଥିଲା । ତରତରରେ ମାତ୍ର ଚାରି ଗୁଣ୍ଡାରେ ସବୁ ଖାଇଦେଲା ତଥା ଅଇଁଠା ପତ୍ରଟି ନେଇ ବାଡି ମୁଣ୍ଡରେ ପକାଇଦେଲ । କାଳେ ତାଙ୍କ ପେଟ ପୂରିନଥିବ ବୋଲି ବାପା ଚୁଡା ଗଣ୍ଡେ ଦେଲେ । ଲୋକଟି ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ କହି ଚାଲିଗଲା ।
ଲୋକଟି ଗଲାପରେ ବାପା ମାଆଙ୍କୁ ଚୁଡା ଚକଟିବାକୁ କିହିଲେ ଏବଂ ଚୁଡା ଖାଇସାରି ବାଉଁଶ ଆଣିବାକୁ ଜିରାଳ ଯିବା କଥା କହିଲେ । ବାପା ମଧ୍ୟ କହିଲେ ଜିରାଳରୁ ଫେରିଲାବେଳକୁ ଚାଉଳ କିଣିକିରି ଆଣିବେ । ଏହି ସମୟରେ ଏକ ଅଲୌକିକ ଘଟଣା ଘଟିଲା । ଜଣେ ବାବାଜୀ ଦଶକିଲୋ ସରୁ ଚାଉଳ, ଦୁଇକିଲୋ ଡାଲି, ବଡ ବୋଇତାକୁ, ଖମ୍ବଆଳୁ, ବନ୍ତଳ କଦଳୀ, ସାରୁ ଓ ନୂଅ ଲୁଗା ଯୋଡିଟିଏ ଧରି ପହଁଞ୍ଚôଲେ । ବାପା ପାଚାରିଲେ “ଆପଣ କିଏ ?” ବାବାଜୀ କହିଲେ ଯେ, ସେ କଙ୍କଡାହାଡ ମଠର ମାଧବ ଦାସ ଓ ଯମୁନାକୋଟର ଦୁର୍ଯେ୍ୟାଧନ ବେହେରା ମୋତେ ଏସବୁ ଜିନିଷ ଆପଣଙ୍କ ଠାରେ ପହଁଞ୍ଚାଇବା ପାଇଁ ପଠାଇଛନ୍ତି । ଦୁର୍ଯେ୍ୟାଧନ ବେହେରା ବାପାଙ୍କ ଠାରୁ ରାମମନ୍ତ୍ର ଦୀକ୍ଷା ନେଇଥିଲେ । ବାପା କହିଲେ, “ମୁଁ ଦୁର୍ଯେ୍ୟାଧନକୁ କାଠ ଆଣିବା ପାଇଁ ହଳଦୀକୁଣ୍ଡା ପଠାଇଚି । ସେ ଦୁଇଟି ପଣ୍ଡା ଶଗଡରେ କାଠଧରି ଆସୁଛି । ବୋଧେ ସନ୍ଧ୍ୟାବେଳକୁ ପହଁଞ୍ଚôବ । ସେ ଆପଣଙ୍କୁ କେଉଁଠି ଦେଖିଲା  ଓ ଏସବୁ ଜିନିଷ ଦେଲା । ବାବାଜୀ କହିଲେ ସେ ଯିବାପୂର୍ବରୁ ମୋତେ ଦେଇଥିଲେ ଏବଂ କହିଥିଲେ ମାର୍ଥାପୁରରେ ଚାଉଳ ମିଳୁନାହିଁ । ତେଣୁ ଆପଣ ଶୀଘ୍ର ନେଇ ଗୁରୁଦେବଙ୍କ ନିକଟରେ ପହଁଞ୍ଚାଇ ଦେବ । ବାପା ଖୁସି ହେଲେ ଏବଂ ମାଆଙ୍କୁ କହିଲେ, “ତୁମେ ଜଣେ କ୍ଷୁଧାର୍ତ୍ତକୁ ଖାଇବାକୁ ଦେଲବୋଲି ଠାକୁର  ଏସବୁ ପଠାଇଦେଲ, ଆଉ ଜିରାଳ ଯିବା ଆବଶ୍ୟକ ନାହିଁ । ଶୀଘ୍ର ରୋଷେଇ ବସା । ମାଆ  ଘଣ୍ଟାକ ଭିତରେ ଅନ୍ନ,ଡାଲି, ତରକରୀ ଓ କରମଙ୍ଗା ଖଟା କରିଦେଲେ । ବାପା ବାବାଜୀ ମାଧବ ଦାସଙ୍କୁ ଅନୁରୋଧ କଲେ ଆମ ସାଙ୍ଗେ ପ୍ରସାଦ ସେବନ କରିବା ପାଇଁ । ବାବାଜୀ ମାଧବ ଦାସ, ବାପା ଓ ମୁଁ କଦଳୀପତ୍ରରେ ପ୍ରସାଦ ସେବନ କଲୁ । ଚାରିଦିନ ପରେ ଅନ୍ନପ୍ରସାଦ ଅମୃତସମ ଲାଗୁଥାଏ । ପ୍ରସାଦ ସେବନ ପରେ ବାବାଜୀ ଯିବାକୁ ବାହାରିଲେ । ମୁଁ ଓ ମାଆ ପାଦ ଛୁଇଁ ବାବାଜୀଙ୍କୁ ପ୍ରଣାମ କଲୁ । ବାପା ପ୍ରଣାମ କରିବା ବେଳକୁ ବାବାଜୀ ତାଙ୍କୁ କୁଣ୍ଢାଇ ପକାଇଲେ, ମୋ ମୁଣ୍ଡରେ ହାତଦେଇ ଆର୍ଶୀବାଦ କରି ବାବାଜୀ ଆମ ପାଖରୁ ବିଦାୟ ନେଲେ । ସେତେବେଳକୁ ଅପରାହ୍ନ ପାଞ୍ଚଟା ବାଜିଲାଣି । ରାତି ଆଠଟା ବେଳକୁ ହଳଦୀକୁଣ୍ଡରୁ ଦୁର୍ଯେ୍ୟାଧନ ବେହୁରା କାଠଗାଡି ଧରି ପହଁଞ୍ଚôଲେ । କାଠ ବାଡିରେ  ରହିଲା ପରେ ଦୁର୍ଯେ୍ୟାଧନ ବେହେରାଙ୍କୁ ବାପା ବାବାଜୀ ମାଧବ ଦାସ ଓ ପଠାଇଥିବା ଜିନିଷ ସମ୍ପର୍କରେ କହିଲେ । ସେ ଆଶ୍ଚର୍ଯ୍ୟ ହେଲେ ଏବଂ କୌଣସି ମାଧବ ଦାସ ବାବାଜୀଙ୍କ ହାତରେ ଜିନିଷ ପଠାଇବା କଥାକୁ ଅସ୍ୱୀକାର କଲେ । 
ଦୁର୍ଯେ୍ୟାଧନ ବେହେରା ତିନି ଦିନ ଧରି ଜଙ୍ଗଲରେ ରହିଥିଲେ । ଗଛ ଚିହ୍ନଟ କରାଇବା, କଟାଇବା ଓ ଗାଡିରେ ଲଦି ଆଣିବାରେ ତାଙ୍କର ସମୟ ଗଲା । ସେ କୌଣସି ମାଧବ ଦାସ ବାବାଜୀଙ୍କୁ ଚିହ୍ନି ନାହାଁନ୍ତି ଓ କଙ୍କଡାହାଡରେ କୌଣସି ମଠ ନାହିଁ ବୋଲି କହିଲେ । ଦୁର୍ଯେ୍ୟାଧନ କଥା ଶୁଣି ବାପାଙ୍କ ଆଖିରୁ ଲୋତକ ଝରିପଡଲା ଏବଂ ସେ ଠାକୁରଙ୍କୁ ପ୍ରଣତି ଜଣାଇଲେ । ମାଆଙ୍କୁ କହିଲେ , “ତୁମେ କ୍ଷୁଧାର୍ତ୍ତଙ୍କୁ ଅନ୍ନଦାନ କରିବାର ଫଳ ତତ୍କ୍ଷଣାତ ପାଇଗଲ, ଠାକୁର ନିଜେ ମାଧବ ଦାସ ବାବାଜୀ ରୂପରେ ଆସି ତୁମକୁ ଅନ୍ନ ଦେଲେ । ସାକ୍ଷାତ ପରଂବ୍ରହ୍ମଙ୍କୁ ମାଧବ ଦାସ ରୂପରେ ଦର୍ଶନ କଲ । ନିଜେ ରାନ୍ଧି ତାଙ୍କୁ ପରଶିଦେଲ । ଅନ୍ନଦାନ ଠାରୁ ବଡ ପୁଣ୍ୟ ନାହିଁ । ମାଆ ମଧ୍ୟ କାନ୍ଦୁଥାନ୍ତି । ମୁଁ ବି କୋହ ସମ୍ବରଣ କରିନପାରି କାନ୍ଦିଲି । ଦୁର୍ଯେ୍ୟାଧନ ବେହେରା ବାପା ଓ ମାଆଙ୍କ ପାଦଧୂଳି ନେଇ କହିଲେ “ଆପଣ ଧନ୍ୟ” ବାବାଜୀ ମାଧବ ଦାସ ଆଣିଥିବା ଚାଉଳରେ ମାଆ ଖେଚେଡି କଲେ । ଦୁର୍ଯେ୍ୟାଧନ ବେହେରା ଓ ଶଗଡିଆ ଦୁଇଜଣ ଖେଚେଡି ପ୍ରସାଦ ପାଇ ଯମୁନାକୋଟ ଗଲେ ।
କାଠ ବାଉଁଶ ଓ ନଡା ସଂଗ୍ରହ ପରେ ଘର କାମ ଆରମ୍ଭ ହେଲା । ମିସ୍ତ୍ରୀ ଓ ମୂଲିଆ ଅଭାବରୁ ଚାରିବଖରା ଆଟୁଘର, ପାଚେରୀ, ଘର ଭତରବାରଣ୍ଡା ଓ ବାହାର ବାରଣ୍ଡା ତିଆରି କରିବାକୁ ପ୍ରାୟ କୋଡିଏ ଦିନ ଲାଗିଗଲା । କିନ୍ତୁ ପୂର୍ବପରି ଘର ମଜବୁତ୍ ହେଲାନାହିଁ । ମାସକ ମଧ୍ୟରେ ଗ୍ରାମର ସମସ୍ତଙ୍କ ଘର ତିଆରି ହୋଇଗଲା । ସମସ୍ତେ  ତରତରରେ ଘର ତିଆରି କଲେ । କାରଣ ଜୁନ୍ ମାସ ଶେଷ ସମୟରୁ ବର୍ଷା ଆରମ୍ଭ ହେବ । ଆଉ ଘରକାମ କରିହେବନି । ଗ୍ରାମରେ ସମସ୍ତଙ୍କ ଘର ସିନା ତିଆରି ହୋଇଗଲା, କିନ୍ତୁ ଘରପୋଡି ପରେ ଗାଁର ଜ୍ୟୋତି ରହିଲାନାହିଁ । ଘରପୋଡି ପରେ ବାପା ଆଉ ବାହାରକୁ ଗଲେନାହିଁ । ନିତ୍ୟକର୍ମ ବ୍ୟତୀତ ଅନ୍ୟ ସବୁ ସମୟରେ  ଦାଣ୍ଡପିଣ୍ଡାରେ ରାମାୟଣ ବୋଲିଲେ । ତେଣୁ କପିଳାସ, ଗଣେଶଖୋଲା, ବେଢାପାଳ, ଯମୁନାକୋଟ ପ୍ରଭୃତି ସ୍ଥାନରୁ ବହୁ ସାଧୁ ସନ୍ଥଙ୍କର ଆମ ଘରକୁ ଆଗମନ ହେଲା । ମାଧବ ଦାସ ବାବାଜୀଙ୍କ ଘଟଣାପରେ ଆମ ଘରେ ସାଧୁ ସନ୍ଥଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ବଢିଯାଇଥିଲା । ବାପାଙ୍କ ଠାରୁ ମଧ୍ୟ ବହୁଲୋକ ରାମମନ୍ତ୍ର ଦୀକ୍ଷା ନେଇଥିଲେ । ସେମାନେ ମଧ୍ୟ ନିୟମିତ ଆମ ଘରକୁ ଆସନ୍ତି । ସେମାନଙ୍କ ଭିତରେ ଜଣେ ଅନନ୍ୟ ଭକ୍ତ ଥିଲେ ମାଳପୁରାର ଭାଗବତ ସାମଲ ଓରଫ ମଙ୍ଗରାଜ । ବ୍ରାହ୍ମଣୀ, ରାମିଆଳ ଓ ସାହାଡଘରର ତ୍ରିକୋଣ ଭୂମି ଅଞ୍ଚଳରେ ଓଢଣା ଓ ମାଳପୁରା ଗ୍ରାମ ଅବସ୍ଥିତ । ଏହି ଦୁଇ ଗ୍ରାମର ମଝିରେ ଗୋବିନ୍ଦ ବିଦ୍ୟାପୁର (ଆନନ୍ଦପୁର) ରହିଥିଲା । ଏହି ବ୍ରାହ୍ମଣ ଶାସନଟି ଷୋଡଶ ଶତାବ୍ଦୀରେ ଢେଙ୍କାନାଳର ରାଜବଂଶର ପ୍ରତିଷ୍ଠାତା ହରିବିଦ୍ୟାଧରଙ୍କ ଭାଇ ଗୋବିନ୍ଦ ବିଦ୍ୟାଧର ବସାଇଥ୍ôଲେ । ଗୋବିନ୍ଦ ବିଦ୍ୟାଧରପୁର ଶାସନଟି ନଦୀ ଦ୍ୱାରା କ୍ଷତିଗ୍ରସ୍ତ ହେବାପରେ ସେହି ଗ୍ରାମବାସୀ ଆମ ଗ୍ରାମର ପଶ୍ଚିମପାଶ୍ୱର୍ରେ ନୂଆଗ୍ରାମ ବସାଇ ରହିଲେ । କିନ୍ତୁ ସେମାନଙ୍କ ଜମିବାଡି ଏହି ଦୀପାଞ୍ଚଳରେ ରହିଗଲା । ମାଳପୁରା ଗ୍ରାମଟି ନଦୀ ଗର୍ଭରେ ବିଧ୍ୱଂସ୍ତ ହୋଇଯିବାରେ ପ୍ରାୟ ୭୦୦ ପରିବାର ଦୁଇକିଲୋମିଟର ଦୂରରୁ ଚାଲିଆସି ନୂଆଗ୍ରାମ ସୁରପ୍ରତାପପୁର ବସାଇଲେ । ତଥାପି ମାଳପୁରା ଗ୍ରାମରେ କେତୋଟି  ଖଣ୍ଡାୟତ ପରିବାର ରହିଗଲେ । ପୁରୁଣା ମାଳପୁରାକୁ ଆମ ଅଞ୍ଚଳରେ “ଖଣ୍ଡିଆ ମାଳପୁରା” କୁହନ୍ତି । ଓଢଣା ଗ୍ରାମବାସୀ ନଦୀ ଦ୍ୱାରା ଆକ୍ରାନ୍ତ ହେଲେ ହେଁ ସେ ସ୍ଥାନ ଛାଡି ଆସିଲେ ନାହିଁ । ସେମାନଙ୍କୁ ନୂତନ ଗ୍ରାମ ସ୍ଥାପନ ନିମିତ୍ତ ଆମ ଗ୍ରାମର ପଶ୍ଚିମରେ “ନୟାଓଢଣା” ନାମିତ କରାଯାଇ ସ୍ଥାନ ଦିଆଗଲେ ମଧ୍ୟ ସେମାନେ ଆସିଲେ ନାହିଁ । କାରଣ ସେହି ଦୀପାଞ୍ଚଳଟି ଥିଲା ଉର୍ବର ଭୂମି । ତିନିଗୋଟି ନଦୀର ପଟୁ ପଡି ଜମି ଉର୍ବର ହୋଇଥିଲା । ତେଣୁ ନାନାଦି ଫସଲ ଓ ପନିପରିବା ଏହି ଦୀପାଞ୍ଚଳରେ ହୁଏ । ଓଢଣା ଓ ମାଳପୁରା ଗ୍ରାମବାସୀ ଆମ ଗ୍ରାମକୁ ପ୍ରଚୁର ପରିବା ଆଣି ବିକ୍ରୟ କରନ୍ତି । ଆମ ଗ୍ରାମ କେବଳ ନୁହେଁ, ଜିରାଳହାଟ, କାମାକ୍ଷନଗର ହାଟ, ଟିପିଲେଇ ହାଟ, ଓଡ଼ିଶ ହାଟ, ଓ ଭୁବନରେ ଏହି ଦୀପାଞ୍ଚଳର ପରିବା ବିକ୍ରୟ ହୁଏ । ଏହା ଥିଲା ଆମ ଅଞ୍ଚଳର ଶସ୍ୟ ଓ ପରିବା ଭଣ୍ଡାର ।
ଆନନ୍ଦନଗର, କାଠଗଡ଼ା
ଢେଙ୍କାନାଳ- ୭୫୯୦୦୧
ମୋ- ୮୮୯୫୨୩୦୭୨୨