ରାଜଧାନୀରୁ କୁଖ୍ୟାତ ଅପରାଧୀ କାହ୍ନୁକୁ ତଡ଼ିପାର

ରାଜଧାନୀରୁ କୁଖ୍ୟାତ ଅପରାଧୀ କାହ୍ନୁକୁ ତଡ଼ିପାର


ଭୁବନେଶ୍ୱର, ୬ା୫ : ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା-୪୬(କ) ଓ (ଖ) ଅନୁଯାଇ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି, ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା ଦୁର୍ଦ୍ଧାନ୍ତ, ଅଭ୍ୟାସଗତ ତଥା ପେଷାଦାର ଅପରାଧି କାହ୍ନୁ ଚରଣ ଚମ୍ପତି ଓରଫ କାହ୍ନୁ, ବୟସ ୩୬, ଘର ରସୁଲଗଡ଼ ପ୍ଲଟ୍ ନମ୍ବର ୬୫୮ ପାଲାମଣ୍ଡପ, ଥାନା ମଞ୍ଚେଶ୍ୱର । କାହ୍ନୁ ଜଣେ ପେଷାଦାର ଅପରାଧି ହୋଇଥିବାରୁ ତାକୁ ଆଜି ପୁଲିସ କମିଶନର ୬ ମାସ ପର୍ଯ୍ୟନ୍ତ ରାଜଧାନୀରୁ ତଡ଼ିପାର ଆଦେଶ ଦେଇଛନ୍ତି । ଏହି ଆଦେଶ ମଞ୍ଚେଶ୍ୱର ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପାଇଁ ବଳବତ୍ତର ରହିବ । ସେ ଜଣେ ପେଷାଦାର ଓ ଅଭ୍ୟାସଗତ ଅପରାଧି । ୨୦୦୭ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଗତ ୧୪ ବର୍ଷ ମଧ୍ୟରେ ତା ନାମରେ ମଞ୍ଚେଶ୍ୱର ଥାନାରେ ସମୁଦାୟ ୧୪ଟି ରୁ ଅଧିକ ଅପରାଧିକ ମାମଲା ମାନ ରୁଜୁ ହୋଇଛି । ବିଗତ ଦିନ ମାନଙ୍କରେ ସେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ନିରୀହ ଜନତାଙ୍କୁ ଭୟଭୀତ କରାଇବା ସହ ଅନେକ ଚୋରି, ଛିନତାଇ ତଥା ଦାଦାବଟି ଆଦାୟ କରି ଅପରାଧ ମାନ ଘଟାଇ ସାରିଛି । ତାର ଉପସ୍ଥିତି ମଞ୍ଚେଶ୍ୱର ଥାନା ଅଞ୍ଚଳବାସୀ ତଥା ଭୁବନେଶ୍ୱର ସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲା ।
 ଅଭିଯୁକ୍ତ କାହ୍ନୁ ଚରଣ ଚମ୍ପତି ଦ୍ୱାରା ଘଟିଥିବା କିଛି ଅପରାଧ:
 ମଞ୍ଚେଶ୍ୱର ଥାନା କେସ ନମ୍ବର-୧୬୬/୨୦୧୧ : ଅଭିଯୋଗକାରିଣୀ ସବିତା ଚମ୍ପତିଙ୍କ ଶଶୁର ଘର ବାହାରେ ବୁଲାବୁଲି କରୁଥିବା ବେଳେ ଅଭିଯୁକ୍ତ କାହ୍ନୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଏହି ସମୟରେ ସବିତାଙ୍କ ଶଶୁର ଏହାର ବିରୋଧ କରିବାରୁ କାହ୍ନୁ ତାଙ୍କ ମାଡ ମାରିବା ସହ ବେକ ଚିପି ଜୀବନରୁ ମାରିଦେବା ଲାଗି ପ୍ରୟାସ କରିଥିଲା ।ସବିତା ଏହା ଦେଖି ଅଭିଯୁକ୍ତକୁ ସେଥିରୁ ନିବୃତ ରହିବାକୁ କହିବାରୁ ଅଭିଯୁକ୍ତ କାହ୍ନୁ ତାଙ୍କ ମଧ୍ୟ ମାଡ ମାରିବା ସହିତ ଅସଦାଚରଣ କରିଥିଲା ।
ମଞ୍ଚେଶ୍ୱର ଥାନା କେସ ନମ୍ବର-୧୪୧/୨୦୧୩ : ଅଭିଯୋଗକାରୀ ଅତାହାର ମହମ୍ମଦ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବୁଲୁ ନାମକ ଜଣେ ବ୍ୟକ୍ତିଙ୍କ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ଅଭିଯୁକ୍ତ କାହ୍ନୁ ତାଙ୍କୁ ଏକ ଲୁହା ଛଡ଼ରେ ହଠାତ ଆକ୍ରମଣ କରି ତାଙ୍କ ଠାରୁ ଦାଦାବଟି ଆକାରରେ ୨ ହଜାର ଟଙ୍କା ମାଗିଥିଲା । ଟଙ୍କା ନଦେଲେ ଭୟଙ୍କର ପରିଣତି ହେବ ବୋଲି ଧମକ ଦେଇଥିଲା । ଏହି ସମୟରେ ଘଟଣା ସ୍ଥଳ ନିକଟରେ ଥିବା କିଛି ଲୋକ ଅଭିଯୁକ୍ତ କବଳରୁ ଅଭିଯୋଗକାରୀଙ୍କୁ ଉଦ୍ଧାର କରିଥିଲେ ।
ମଞ୍ଚେଶ୍ୱର ଥାନା କେସ ନମ୍ବର-୧୪୧/୨୦୧୪ : ୧୧.୬.୨୦୧୪ ରିଖ ମଧ୍ୟାହ୍ନରେ ଅଭିଯୋଗକାର ସୁକାନ୍ତ ସାମଲ ମଞ୍ଚେଶ୍ୱର ଅନ୍ତର୍ଗତ ତାରିଣୀ ମନ୍ଦିର ନିକଟରେ ନିଜ ଅଟୋକୁ ପାର୍କିଂ କରୁଥିବା ବେଳେ ଅଭିଯୁକ୍ତ କାହ୍ନୁ ସେଠାରେ ପହଞ୍ଚି ତାଙ୍କୁ ଦାଦାବଟି ମାଗିଥିଲା । ହେଲେ ତାକୁ ଦାଦାବଟି ଦେବାକୁ ସୁକାନ୍ତ ମନା କରିବାରୁ ହଠାତ ଅଭିଯୁକ୍ତ ସୁକାନ୍ତଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଅଟୋର କାଚକୁ ବାଡେଇ ଭାଙ୍ଗି ଦେଇଥିଲା ଓ ଯୋରଜବରଜସ୍ତ ତାଙ୍କ ପକେଟରୁ ୨ହଜାର ଟଙ୍କା ନେଇ ପଳାଇଥିଲା ।
ମଞ୍ଚେଶ୍ୱର ଥାନା କେସ ନମ୍ବର- ୩୬୩/୨୦୨୨: ୨୯.୯.୨୦୨୨ ରିଖ ରାତିରେ ଅଭିଯୋଗକାରୀ ଗୋଲେଖ ପହଣ ରସୁଲଗଡ଼ ପାଲାମଣ୍ଡପ ନିକଟସ୍ଥ ଘରକୁ ଯାଉଥିବା ବେଳେ, ଅଭିଯୁକ୍ତ କାହ୍ନୁ ଏକ ବାଇକରେ ପଛପଟୁ ଆସି ତାଙ୍କ ମୋବାଇଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା ।