ରାଜଧାନୀରେ ନକଲି ବହି ବିକ୍ରି ; ୩ ଗିରଫ

ରାଜଧାନୀରେ ନକଲି ବହି ବିକ୍ରି ; ୩ ଗିରଫ


ଭୁବନେଶ୍ୱର, ୬ା୫ : ରାଜଧାନୀ ଛାତି ଉପର କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ରି ହେଉଛି କଲିକତାରୁ ଆସୁଥିବା ଦ୍ୱାଦଶ ଓ ଏକାଦଶ ଶ୍ରେଣୀର ନକଲି ବହି । ଏନେଇ ଥାନାରେ ଅଭିଯୋଗ ପରେ ଖାରବେଳନଗର ଥାନା ଅଧିକାରୀ ଓ ଡ଼ିସିପିଙ୍କ ଚଢ଼ାଉ । ଚଢ଼ାଉ ବେଳେ ବିଭିନ୍ନ ବହି ଦୋକାନ ବୁଲି ଡ଼ିସିପି ପ୍ରତୀକ୍ ସିଂହ ଚେକିଂ କରିବା ସହ କଲିକତାରୁ ନକଲି ବହି ଆଣି ଭୁବନେଶ୍ୱରରେ ବିକ୍ରି କରୁଥିବା ୩ ଜଣ ବହି ଦୋକାନ ମାଲିକଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ଲକ୍ଷ୍ମୀସାଗର ଲେଙ୍କା ସାହିର ଅଜୟ କୁମାର ସ୍ୱାଇଁ, କଟକ ନିଆଳିର ତାପସ ଗିରି ଓ ବଡ଼ଗଡ଼ ହାତିଆସୁଣୀର ବ୍ରଜ ମୋହନ ମହାରଣା ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ରବିନାରାୟଣ ତ୍ରିପାଠୀ କଲିକତା ଠାରେ ଥିବା ଏନସିଇଆରଟି ସିଡବୁ୍ୟସିର ଜଣେ ଅଧିକାରୀ ଅଟନ୍ତି । ସେ ଗତ ୩ ତାରିଖ ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ୍ ଠାରେ ଥିବା ବିଦ୍ୟାଶ୍ରୀ ବୁକ୍ ଷ୍ଟୋରକୁ ଯାଇ ଏକାଦଶ ଶ୍ରେଣୀର କିଛି ଟେକ୍ଟ ବୁକ୍ କିଣିଥିବା ବେଳେ ସେଗୁଡିକ ନକଲି ଥିବା ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ଖାରବେଳନଗର ଥାନା ଏକ ଟିମ ଏନସିଇଆରଟି ସଦସ୍ୟଙ୍କ ସହିତ ବିଦ୍ୟାଶ୍ରୀ ବୁକ୍ ଷ୍ଟୋରରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ୬ଟି ନକଲି ବହି ଜବତ କରାଯାଇଥିବା ବେଳେ, ୟୁନିଟ୍-୯ ସ୍ଥିତ ମା ମଙ୍ଗଳା ବୁକ୍ ଷ୍ଟୋରର ମାଲିକ ଅଜୟ କୁମାର ସ୍ୱାଇଁ ତାଙ୍କୁ ଏହି ବହି ବିକ୍ରି କରିବାକୁ ଦେଇଥିବା ବିଦ୍ୟାଶ୍ରୀ ବକ୍ ଷ୍ଟୋର ମାଲିକ ପୁଲିସ ଆଗରେ ମାନିଥିଲେ । ପରେ ପୁଲିସ ଟିମ ମା ମଙ୍ଗଳା ବୁକ୍ ଷ୍ଟୋରରେ ଚଢ଼ାଉ କରି ମାଲିକ ଅଜୟ କୁମାର ସ୍ୱାଇଁଙ୍କୁ ଗିରଫ କରିବା ସହ ଏକ ଅଟୋରୁ ୨୩୫ ଖଣ୍ଡ ନକଲି ବହିକୁ ମଧ୍ୟ ଜବତ କରିଥିଲେ । ଏହି ସମୟରେ ଅଜୟ କୁମାର ସ୍ୱାଇଁଙ୍କୁ ପୁଲିସ ପଚରା ଉଚରା ବେଳେ ସେ ଏହି ବହିକୁ ଅଟୋରେ ରବିଟକିଜ୍ ନିକଟରେ ଥିବା ଶୁଭମ ବୁକ୍ ଷ୍ଟୋର ମାଲିକ ବ୍ରଜ ମୋହନ ମହାରଣାଙ୍କ ନିକଟରୁ କିଣିଥିବା ମାନିଥିଲେ । ପରେ ପୁଲିସ ଟିମ ରବିଟକିଜ୍ ଶୁଭମ ବୁକ୍ ଷ୍ଟୋରରେ ମଧ୍ୟ ଚଢ଼ାଉ କରି ମାଲିକ ଓ ଜଣେ ସେଲ୍ସ ମ୍ୟାନକୁ ଗିରଫ କରାଯାଇ ଗୋଦାମ ଭିତରୁ ୨୦୨୩ ଖଣ୍ଡ ନକଲି ବହି ଜବତ କରାଯାଇଛି ।