ସାମାଜିକ ଗଣମାଧ୍ୟମରେ ବନ୍ୟପ୍ରାଣୀ
ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟ୍ଫର୍ମ୍ରେ ବନ୍ୟପ୍ରାଣୀମାନଙ୍କୁ ଧରି କିମ୍ବା ସେମାନଙ୍କ ସହିତ ଫଟୋ ଉଠାଇ ସେହି ଫଟୋ ଗୁଡ଼ିକୁ ବିଭିନ୍ନ ସମୟରେ ଗଣମାଧ୍ୟମର ପ୍ଲାଟ୍ଫର୍ମ୍ରେ ପୋଷ୍ଟ କରିବା ପାଇଁ ଲୋକଙ୍କର ପ୍ରବଳ ଆଗ୍ରହ ଥିବା ଦେଖାଯାଏ । ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ରେ ଏଭଳି ଫଟୋକୁ ପ୍ରକାଶ କରାଯିବା ଅପରାଧ ଭାବରେ ବିବେଚିତ ହୋଇଛି । କିନ୍ତୁ ଲୋକମାନେ ଏଭଳି ସବୁ ଆଇନ୍ ଗୁଡ଼ିକ ସମ୍ପର୍କରେ ଅଜ୍ଞ ଥିବାରୁ ସେମାନେ ଅତି ଆନନ୍ଦ ଓ ଉତ୍ସାହର ସହିତ ବନ୍ୟପ୍ରାଣୀଙ୍କ ସହିତ ସେଲ୍ଫି ନେଇ ପୋଷ୍ଟ୍ କରି ଦେଉଛନ୍ତି । ନିକଟରେ ଏଭଳି କେତୋଟି ଘଟଣା ଉପରେ ଜଙ୍ଗଲ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବା ପରେ କିଛି ଲୋକ ସେମାନଙ୍କ ପୋଷ୍ଟ୍ ଗୁଡ଼ିକୁ ଡ଼ିଲିଟ୍ କରି ଦେଲେଣି । ଆଉ କିଛି ଲୋକଙ୍କର ପୋଷ୍ଟ୍ ଏବେ ମଧ୍ୟ ସାମାଜିକ ଗଣମାଧ୍ୟମରେ ରହିଥିବା ଦେଖାଯାଉଛି । ବିଶେଷ କରି ବିଭିନ୍ନ ସମୟରେ ସାପ, ଶୁଆ ଆଦି ବନ୍ୟପ୍ରାଣୀଙ୍କୁ ହାତରେ ଧରି ଫଟୋ ଉଠାଇବା ଏବଂ ସେସବୁକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାର ଦେଖା ଯାଇଥାଏ ।
ପ୍ରାୟ ପ୍ରଜାତିର ସାପ ଆଜି ବିଲୁପ୍ତି ପଥରେ ଥିବା ପ୍ରାଣୀ । ବିନା କାରଣରେ ସାପ କେବେ କାହାରିକୁ କାମୁଡ଼େ ନାହିଁ ଏବଂ ମୂଷା ଏହାର ପ୍ରିୟ ଆହାର ହୋଇଥିବାରୁ ପ୍ରତ୍ୟକ୍ଷ ଭାବରେ ସାପ କୃଷକମାନଙ୍କର ବନ୍ଧୁ । କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଲୋକ ସାପକୁ ଧରି ସାପମାନଙ୍କ ସହିତ ଖେଳିବା, ଧରିବାର କୌଶଳ ପ୍ରଦର୍ଶନ କରିବା ଆଦି ଦୃଶ୍ୟକୁ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରୁଛନ୍ତି । ବିଭିନ୍ନ ସମୟରେ ଦେଖାଯାଉଛି ଯେ ୟୁଟୁ୍ୟବ୍ ଭଳି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଗୁଡ଼ିକର ଲାଇକ୍ ଏବଂ କମେଣ୍ଟ୍ ସଂଖ୍ୟାକୁ ନେଇ ୟୁଟୁ୍ୟବରମାନଙ୍କ ନିକଟକୁ କିଛି କିଛି ଅର୍ଥ ଆସିଥାଏ । ଏ ସମ୍ପର୍କରେ ମଧ୍ୟ ତଦନ୍ତ କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟକୁ କେତୋଟି ମାମଲା ହସ୍ତାନ୍ତର କରାଯାଇଛି । ବନ୍ୟପ୍ରାଣୀମାନଙ୍କ ସହିତ ସେଲ୍ଫି ନେବା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏହିଭଳି ଭିଡ଼ିଓ ଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ଲୋକମାନେ ଏଭଳି ପ୍ରାଣୀମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିବା ପାଇଁ ଏବଂ ଖୋଜି ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରାକୃତିକ ପରିବେଶ ଭିତରେ ମନୁଷ୍ୟମାନଙ୍କର ଏ ପ୍ରକାରର କାର୍ଯ୍ୟ ବନ୍ୟପ୍ରାଣୀମାନଙ୍କ ନିମିତ୍ତ ଉତ୍ପୀଡ଼ନତୂଲ୍ୟ ହୋଇଥାଏ । ପରିବେଶ ଭିତରେ ପ୍ରତ୍ୟେକ ପ୍ରାଣୀଙ୍କର ବଞ୍ଚôବାର ଅଧିକାର ରହିଛି । ତେବେ ମନୁଷ୍ୟମାନଙ୍କ ହିଂସ୍ର ଆଚରଣ ଯୋଗୁଁ ସର୍ବାଧିକ ଭାବରେ ସାପମାନଙ୍କର ମୃତୁ୍ୟ ଘଟିଥାଏ । ବର୍ତ୍ତମାନ କେତେକ ପ୍ରଜାତିର ସାପ ପ୍ରାକୃତିକ ପରିବେଶର ଅଭାବରୁ ଲୋପ ପାଇଗଲେଣି । ଗୋଧି, ଚମ୍ପେଇ ନେଉଳ, ପୋହଳା ଏଣ୍ଡୁଆ ଭଳି ଅନେକ ପ୍ରକାରର ସରୀସୃପ, ନେଉଳ, ଶାଳିଆପତିନୀ ଭଳି ଛୋଟ ଛୋଟ ପ୍ରାଣୀ ବର୍ତ୍ତମାନ ବିଲୁପ୍ତିର ଦ୍ୱାରଦେଶରେ । ବଜ୍ରକାପ୍ତା ଏକ ବିରଳ ପ୍ରାଣୀ । ଏଭଳି ପ୍ରାଣୀଙ୍କୁ କିଏ କେଉଁଠି ଦେଖିଲେ ସଙ୍ଗେ ସଙ୍ଗେ ତାର ଭିଡ଼ିଓ କରି ସେଲ୍ଫି ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାର ଆଗ୍ରହକୁ ଲୋକେ ରୋକି ପାରୁନାହାନ୍ତି ।
ବନ୍ୟପ୍ରାଣୀଙ୍କ ସହିତ ଭିଡ଼ିଓ ପୋଷ୍ଟ୍ ନ କରିବା ଦିଗରେ ଆଇନ୍ ପ୍ରଣୟନ ଦିଗରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । କିଛି ପ୍ରକାରର ବନ୍ୟପ୍ରାଣୀଙ୍କୁ ଧରିଲେ ସେମାନଙ୍କ ଠାରୁ ମନୁଷ୍ୟକୁ ବିଭିନ୍ନ ରୋଗର ସଂକ୍ରମଣର ସମ୍ଭାବନା ମଧ୍ୟ ରହିଥାଏ । ଏ ସମ୍ପର୍କରେ ଅନେକ ବ୍ୟକ୍ତି ଅଜ୍ଞ । ଆଇନ୍ଗତ ଦୃଷ୍ଟିରୁ ତଥା ସ୍ୱାସ୍ଥ୍ୟ ଦୃଷ୍ଟିରୁ ପ୍ରତ୍ୟେକଟି ବନ୍ୟପ୍ରାଣୀଙ୍କୁ ସେମାନଙ୍କ ରାସ୍ତାରେ ଯିବାକୁ ଦିଆଯିବା ଉଚିତ୍ । ସେମାନଙ୍କ ଫଟୋ ଉଠାଇ ଏଥିରୁ ଆନନ୍ଦ ଉପଭୋଗ କରିବା କେବେ ବି ନୈତିକତା ନୁହେଁ କି ଆଇନ୍ ନୁହେଁ । ବିଭିନ୍ନ ସାମାଜିକ ଗଣମାଧ୍ୟମର ନିୟାମକମାନେ ଏ ପ୍ରକାରର ସେଲ୍ଫି ଏବଂ ଭିଡ଼ିଓ ଗୁଡ଼ିକୁ ମଧ୍ୟ ପୋଷ୍ଟ୍ କରାଯିବା ମାତ୍ରକେ ଡ଼ିଲିଟ୍ କରି ଦେବା ଉଚିତ୍ ।