ଶାରିଶୁଆ ପାହାଡରେ ମିଳିତ ଚଢାଉ

କପ୍ତିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ କଳମଗଡିଆ ପଞ୍ଚାୟତ ଓ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ସୀମାରେ ଥିବା ଶାରୀଶୁଆ ପାହାଡରେ ଚାଲୁଥିବା ବେଆଇନ ପଥର ବ୍ଲାଷ୍ଟିଙ୍ଗ ଓ ଚୋରାଚାଲାଣକୁ ନେଇ ଉଭୟ ଜିଲ୍ଲାର ଖଣି ବିଭାଗ ଓ ବନ ବିଭାଗ ଚଢଉ କରିଛି  । ଉକ୍ତ ପାହାଡରେ ପ୍ରତିଦିନ ପଥର ମାଫିଆମାନେ ଡିନୋମାଇଟ୍ ଦ୍ୱାରା ପଥର ବ୍ଲାଷ୍ଟିଙ୍ଗ କରି ଶହ ଶହ ଟ୍ରିପ୍ ପଥର ଓ ମେଟାଲ, ଚିପସ୍ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି  । ଫଳରେ ପ୍ରତ୍ୟେକ ଦିନ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉ ଥିବାର କୁହାଯାଉଛି  । ଅଭିଯୋଗପରେ ଆଜି ମୟୂରଭଂଜ ବନଖଣ୍ଡ ଅଧିକାରୀଙ୍କ ନିଦେ୍ଦର୍ଶକ୍ରମେ ଓ ମୟୂରଭଂଜ ଖଣି ବିଭାଗ ଅଧିକାରୀ ଓ ବାଲେଶ୍ୱର ଜିଲ୍ଲା ଖଣି ବିଭାଗର ଅଧିକାରିଣୀଙ୍କ ସହିତ ଔପଦା ବନବିଭାଗର ବନାଞ୍ଚଳ ଅଧିକାରୀ ଓ କପ୍ତିପଦା ବନବିଭାଗର ବନାଞ୍ଚଳ ଅଧିକାରୀ ଅଚୁ୍ୟତାନନ୍ଦ ଦାଶ, ଶାରିଶୁଆ ବନପାଳ ଜଗଦୀଶ ସାହୁ ଓ ୧୨ଜଣ କର୍ମଚାରୀ ଶାରିଶୁଆ ପାହାଡ ଉପରେ ଚଢଉ କରିଥିଲେ  । ଶାରୀଶୁଆ ପାହାଡକୁ ଲାଗିଥିବା ଶିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ ମଧ୍ୟରେ ଥିବା ୬ଟି ଟ୍ରାକ୍ଟର ଓ ୧ଟି କଂପ୍ରେସର ମେସିନ ଓ ଔପଦା ବନାଞ୍ଚଳରେ ଥିବା ୧୧ଗୋଟି ଟ୍ରାକ୍ଟରକୁ ଜବତ୍ କରଯାଇଥିଲା  । ପ୍ରତି ଟ୍ରକ୍ଟର ପିଛା ୪୫ ହଜାର ଟଙ୍କା ଓ କଂପ୍ରେସର ମେସିନକୁ ୨ଲକ୍ଷ ଟଙ୍କା ସହିତ କପ୍ତିପଦା ଅଞ୍ଚଳର ୨ଟି ବାଲି ଟ୍ରାକ୍ଟର ଠାରୁ ୭୦ହଜାର ଜୋରିମାନା କରି ମୋଟ ୧୧ଲକ୍ଷ ଟଙ୍କା ଖଣି ବିଭାଗ ଆଦାୟ କରିଥିବାର ଜଣାପଡିଛି  । ଏହାକୁ ନେଇ ପଥର ମାଫିଆମାନଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି ।