ବାସୁଦେବପୁର: ଅଙ୍କ ବଦଳାଇବେ ବାଣୀକଲ୍ୟାଣ

ବାସୁଦେବପୁର: ଅଙ୍କ ବଦଳାଇବେ ବାଣୀକଲ୍ୟାଣ


ତିହିଡିରୁ ମାନସ ରଞ୍ଜନ ନାୟକ
ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟ ଓ କଂଗ୍ରେସ ପ୍ରାର୍ଥି ଅଶୋକ କୁମାର ଦାସକୁ କଡ୍ଡା ଟକ୍କର ଦେବେ ବିଜେପି ପ୍ରାର୍ଥô ବାଣିକଲ୍ୟାଣ ମହାନ୍ତି । ବିଜେଡିର ପାରିବାରିକ ରାଜନୀତିକୁ ପ୍ରତିହତ କରିବା ସହିତ କଂଗ୍ରେସକୁ ଧରାଶାୟୀ କରିବାର ଲକ୍ଷ୍ୟନେଇ ବିଜେପି ପ୍ରାର୍ଥି ମୈଦାନରେ ଉଭା ହୋଇଛନ୍ତି । ବିଜେଡି ଓ କଂଗ୍ରେସ ପୂର୍ବରୁ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପିରୁ ଏଠାରେ କାହାକୁ ଟିକେଟ ଦିଆଯିବ ସେଥିନେଇ ଚାଲିଥିଲା ଅଙ୍କ କଷା । ବିଳମ୍ବ ହେଲେ ମଧ୍ୟ ସେସବୁର ଅବସାନ ଘଟାଇ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି  । ଏହି ନିର୍ବାଚନ ମଣ୍ଡଳୀଟି ବାସୁଦେବପୁର ବ୍ଲକର ୩୩ଟି ପଞ୍ଚାୟତ ସମେତ ପୌରାଞ୍ଚଳର ୨୩ଟି ୱାର୍ଡ ଏବଂ ତିହିଡି ବ୍ଲକର ୯ଟି ପଞ୍ଚାୟତକୁ ନେଇ ଗଠିତ । ଶ୍ରୀ ମହାନ୍ତି ଜଣେ ଛାତ୍ର ଓ ଯୁବ ସଙ୍ଗଠକ ଭାବରେ ସମଗ୍ର ଅଂଚଳରେ ବେଶ ଜଣାଶୁଣା  । ପୂର୍ବରୁ ସେ ବିଜୁ ଛାତ୍ର ଜନତାର ରାଜ୍ୟ ସମ୍ପାଦକ ଭାବେ ବେଶ ଦକ୍ଷତାର ସହ କାର୍ଯ୍ୟ କରୁଥିଲେ  । ତେବେ ବାସୁଦେବପୁରର ବିଜେଡି ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସହ ମତଭେଦ ହେବାରୁ ସେ ତାଙ୍କ ବିରୋଧରେ ସମାନ୍ତରାଳ ସଙ୍ଗଠନ କରି ଆସୁଥିଲେ  । ଏଥିପାଇଁ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଥିଲା  । ହେଲେ ସେ କିଛିଦିନ ତଳେ ବିଜେପିରେ ସାମିଲ ହୋଇ ଟିକେଟ ଲବିରେ ଥିଲେ  । ତାଙ୍କ ପ୍ରତି ଯୁବଗୋଷ୍ଠୀର ଖୁବ ଭଲ ସମର୍ଥନ ରହିଛି  । ସେ ପ୍ରାର୍ଥୀ ହୋଇଥିବାରୁ ବିଜେପି ଏଠାରେ ନିଜର ସ୍ଥିତିକୁ ମଜବୁତ କରିପାରିବା ସହିତ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି  । ପୂର୍ବରୁ ବିଜେଡି ଏବର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଏଠାରେ ପୁଣିଥରେ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ଅଶୋକ ଦାସଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି । ତେବେ ଏହି ଆସନଟି ବିଗତ ୪୫ ବର୍ଷ ଧରି ରାଉତରାୟ ପରିବାରଙ୍କ ହାତରେ ରହିଛି । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣି ରାଉତରାୟଙ୍କ ଠାରୁ ଆରମ୍ଭ ପ୍ରାକ୍ତନ ମନ୍ତ୍ରୀ ଓ ବିଧାୟକ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଏବଂ ତାଙ୍କ ଅନ୍ତେ ତାଙ୍କ ପୁତ୍ର ବିଷ୍ଣୁୁବ୍ରତ ରାଉତରାୟଙ୍କୁ ମିଳିଆସୁଛି ଜନ ସମର୍ଥନ । ଉଭୟ କଂଗ୍ରେସ ଓ ବିଜେପି ଲତାଗର ଭାବେ ଚେକ୍ ଦେବାକୁ ଲଢେଇ କରିଆସୁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଚଳିତ ନିର୍ବାଚନରେ ପୂର୍ଣ୍ଣ ମାତ୍ରାରେ ପରିବାରବାଦର ଅବସାନ ଘଟାଇ ଏକ ସ୍ୱଚ୍ଛ ଶାସନ ଗଢି ତୋଳିିବାକୁ କଂଗ୍ରେସ ଓ ବିଜେପି ପଣ କରିଥିବା ବେଶ ବାରି ହେଉଛି । ଅନ୍ୟପଟେ ବିଜେପି ଏଥର ଏକ ନୂଆ ଢାଞ୍ଚାରେ ରଣକୌଶଳ ଆରମ୍ଭ କରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।  ସୂଚନା ଥାଉକି, ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ତିହିଡି ବ୍ଲକ ଅଧିନରେ ଥିବା ୯ ପଂଚାୟତ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସିଛି । ଯାହାକୁ ନେଇ ସମସ୍ତ ପ୍ରାର୍ଥୀଙ୍କ ନଜର ରହିଛି ଏହି ତିହିଡିରେ । ତେବେ ଜନତା ଜନାର୍ଦ୍ଦନ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା କେବଳ ଦେଖିବା ବାକି ରହିଲା ।