ଓଜେଇଇ ପରୀକ୍ଷା ଆରମ୍ଭ

ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ଓଜେଇଇ ପରୀକ୍ଷା  । ପ୍ରଥମ ସିଫ୍ଟ ସକାଳ ୮ଟା ୩୦ ମିନିଟରୁ ଆରମ୍ଭ ହୋଇଥିବାବେଳେ ୧୦ଟା ୩୦ ମିନିଟରେ ଶେଷ ହେବ । ଆଜି ବି-ଟେକ୍ (ଏଲ୍‌ଇଟେକ୍‌, ଡିପ୍ଲୋମା) ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୮ଟା ୩୦ ମିନିଟରୁ ମଧ୍ୟାହ୍ନ ୧୦ଟା ୩୦ରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ବିତୀୟ ସିଫ୍ଟ ଅପରାହ୍ନ ୧୨ଟା ୩୦ ମିନିଟରୁ ୨ଟା ୩୦ ମିନିଟ ପର୍ୟ୍ୟନ୍ତ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ୩୦ ପର୍ୟ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ୬୫ ହଜାର ୭୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସିବିଟି ମୋଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ଆଜିଠାରୁ ଅର୍ଥାତ ମେ ୬ ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୧୦ ତାରିଖରେ ଏହା ଶେଷ ହେବ । ଆଜି ବି-ଟେକ୍, ୭ ତାରିଖରେ ଏଲ୍‌ଇ-ଟେକ୍‌ (ଡିପ୍ଲୋମା), ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ (ଏକ ଘଣ୍ଟା) ଏବଂ ଏଲ୍‌ଇ-ଟେକ୍ ବିଏସ୍‌ସି (ଏକ ଘଣ୍ଟା) ପରୀକ୍ଷା ରହିଛି । ସେହିଭଳି ଭାବରେ ୮ରେ ଏମ୍‌ବିଏ, ବି.କ୍ୟାଟ୍‌ (ସିନେମାଟୋଗ୍ରାଫି/ ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନ-ଏକ ଘଣ୍ଟା) ଏବଂ ଏଲ୍‌ଇ ଫାର୍ମ (ଏକ ଘଣ୍ଟା)ର ପରୀକ୍ଷା ରହିଛି । ସେହିଭଳି ୯ ତାରିଖରେ ବି.ଫାର୍ମାର ପରୀକ୍ଷା ଥିବା ବେଳେ ୧୦ ତାରିଖରେ ଏମ୍‌ସିଏ, ବି.କ୍ୟାଟ୍‌ (ଫିଲ୍ମ ଏଡିଟିଙ୍ଗ-ଏକ ଘଣ୍ଟା), ଏମ୍‌.ଫାର୍ମା (ଏକ ଘଣ୍ଟା), ଏମ୍‌.ଆର୍କ, ଏମ୍‌.ପ୍ଲାନ ଏବଂ ଏମ୍‌.ଟେକର ପରୀକ୍ଷା ରହିଛି ।
ସରକାରୀ ନିୟମ ଅନୁସାରେ, ଓଡିଶାର ଛାତ୍ରଛାତ୍ରୀଙ୍କୁ ହିଁସରକାରୀ କଲେଜରେ ଆଡମିଶନ କରିବାକୁ ସୁଯୋଗ ମିଳିବ । ରାଜ୍ୟ ବାହାରର ଛାତ୍ରଛାତ୍ରୀ ଓଡିଶା ସରକାରୀ ନିୟମ ଅନୁଯାୟୀ କେବଳ ଘରୋଇ କଲେଜରେ ଆଡମିଶନ କରିପାରିବେ । ରାଜ୍ୟରେ ୫୭ଟି କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ବରରେ ସର୍ବାଧିକ ୧୧, କଟକରେ ୬, ବ୍ରହ୍ମପୁର-ବାଲେଶ୍ବରରେ ୪, ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର ଏବଂ ପୁରୀ ଜିଲ୍ଲାରେ ୨ଟି ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଅନ୍ୟ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଯଦି ରାଜ୍ୟ ବାହାର କଥା ଦେଖିବା, ତେବେ କୋଲକାତା, ପାଟନା ଏବଂ ରାଞ୍ଚିରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଓଜେଇର ତଥ୍ୟ ଅନୁସାରେ, ସମୁଦାୟ ୬୫ ହଜାର ୭୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।