ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତର ପୋଷ୍ଟର ଜାରି କଲା ପୁଲିସ୍ 

ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତର ପୋଷ୍ଟର ଜାରି କଲା ପୁଲିସ୍ 

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଗତ ୨୯ ରାତିରେ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତର ପୋଷ୍ଟର ଜାରି କରିଛି ପୁଲିସ୍ ।  ସୂଚନାକାରୀକୁ ମିଳିବ ୫ ହଜାର ପୁରସ୍କାର । ଚୋର ମନ୍ଦିର ପ୍ରବେଶ ଦ୍ୱାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏବଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇ ଯାଇଥିଲେ । ତେବେ ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇଥିଲେ । ଏସପି ସଙ୍ଗେ ସଙ୍ଗେ ମନ୍ଦିରରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଖୋଜା ଖୋଜି ଆରମ୍ଭ କରିଥିଲେ । ମନ୍ଦିରରେ ଲାଗିଥିବା ଅନ୍ୟ ଏକ ସିସିଟିଭିରେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ଉତ୍ତୋଳନ ହୋଇଥିଲା । ଯାହାକୁ ଦେଖିବା ପରେ ପୁଲିସ ଏହି ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଦୁର୍ବୁତ୍ତମାନେ ପ୍ରଥମେ ମନ୍ଦିରକୁ ସଂଯୋଗ ହୋଇଥିବା ଇଲେକଟ୍ରିକ ତାରକୁ କାଟିଛନ୍ତି । ତାପରେ ରାତି ୧ଟା ୪୫ ରୁ ୨ ଟା ୧୫ ମଧ୍ୟରେ ଏହି ଘଟଣାକୁ ଘଟାଇଛନ୍ତି । ମନ୍ଦିର ଦାୟୀତ୍ୱରେ ଥିବା ସୁରକ୍ଷା କର୍ମୀ ଏହି ସମୟରେ ଶୋଇଥିବାର ସୁଯୋଗ ନେଇ ଦୁର୍ବୁତ୍ତତ୍ତମାନେ ଏହି କାଣ୍ଡ ଘଟାଇଥିଲେ । ପୁଲିସ ବିଭିନ୍ନ ସିସିଟିଭି ଯାଞ୍ଚ କରି ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି । ଏଣୁ କେନ୍ଦୁଝର ଏସପି ସାମ୍ବାଦିକଙ୍କୁ ଏହି ଫୋଟ ଦେଖାଇ ଏହାକୁ ଚିହ୍ନଟ କରି ଧରିବାରେ ସହଯୋଗ କରିବାପାଇଁ କହିଛନ୍ତି । ଏଥିସହ ଯିଏ ଏହାର ଖବର ଦେବ ତା ନାମ ଗୋପନ ରଖି ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ମଧ୍ୟ  ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସପି ।