ଟି-୨୦ ବିଶ୍ୱକପ, ରୋହିତଙ୍କ ସହ ଓପନିଂ କରିବେ ବିରାଟ

ଟି-୨୦ ବିଶ୍ୱକପ, ରୋହିତଙ୍କ ସହ ଓପନିଂ କରିବେ ବିରାଟ


ନୂଆଦିଲ୍ଲୀ: ଏବେ ଦେଶରେ ଚାଲିଛି ଆଇପିଏଲ ମାହୋଲ । ଏହାପରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଟି -୨୦ ବିଶ୍ୱକପ୍ ଖେଳାଯିବ  ।  ତେବେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ଟି -୨୦ ବିଶ୍ୱକପ ଦଳ ଚୟନ ସମ୍ପର୍କରେ ଏକ ବୈଠକ କରିଥିବା ଖବର ଆସିଥିଲା  । ଚୟନ କମିଟି କୋହଲିଙ୍କୁ ଓପନର୍ ଭାବରେ ଦଳରେ ଖେଳାଇବାକୁ ଚାହୁଁଛି ବୋଲି ବୈଠକରେ ଆଲୋଚନା ହୋଇଥିବା ଖବର ଆସିଥିଲା । ତେବେ କୋହଲି ଓ ରୋହିତ ଟି-୨୦ଖେଳିବା ଉପରେ ସନେ୍ଦହ ସୃଷ୍ଟି ହୋଇଥିଲା  । କିନ୍ତୁ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଉଭୟ ଏହି ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ  । ସେହି ସିରିଜରେ ବିରାଟଙ୍କ ପ୍ରଦର୍ଶନକୁ ଚୟନକର୍ତ୍ତାମାନେ ଖୁସି ନଥିଲେ  । ବର୍ତ୍ତମାନ ଆଇପିଏଲରେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ବିରାଟ ଆଗୁଆ ଥିବାରୁ ଚୟନକର୍ତ୍ତାମାନେ ସେମାନଙ୍କର ମତ ପରିବର୍ତ୍ତନ କରିଛନ୍ତି  ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି କୋହଲି ରୋହିତଙ୍କ ସହ ଓପନିଂ କରନ୍ତି, ତେବେ ଯଶସ୍ୱୀ ଜୟସ୍ୱାଲ ଦଳ ବାହାରେ ରହିବେ କିମ୍ବା ରିଜର୍ଭ ଖେଳାଳି ଭାବେ ରହିବେ  । ଚଳିତ ଆଇପିଏଲ୍ରେ ଯଶସ୍ୱୀ ଆଖିଦୃଶିଆ ଖେଳ ପ୍ରଦର୍ଶନ କରିପାରିନାହାଁନ୍ତି  । ତେବେ ଚତୁର୍ଥ ନମ୍ବରରେ ପାୱାର ହିଟର୍ ଭାବେ ଚୟନକର୍ତ୍ତାମାନେ ଶିବମ୍ ଦୁବେ କିମ୍ବା ରିୟାନ୍ ପାରାଗଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିନ୍ତା କରୁଛନ୍ତି  । ଶିବମ୍ ଏକ ପେସ୍ ବୋଲିଂ ଅଲରାଉଣ୍ଡର ହୋଇଥିବାବେଳେ ପାରାଗ ଆକ୍ରମଣାତ୍ମକ ବ୍ୟାଟିଂ ସହିତ ଲେଗ୍ ସ୍ପିନ୍ ମଧ୍ୟ କରିପାରିବେ  । ଏଥିସହିତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ପଞ୍ଚମ ସ୍ଥାନ ପାଇଁ ଋଷଭ ପନ୍ତ, କେଏଲ୍ ରାହୁଲ, ସଞ୍ଜୁ ସାମସନ ଓ ଈଶାନ କିଷନଙ୍କ ମଧ୍ୟରେ ପ୍ରତିଯୋଗିତା ·ଲିଛି  । ଷଷ୍ଠ ସପ୍ତମ ସ୍ଥାନ ପାଇଁ ରବିନ୍ଦ୍ର ଜାଡେଜାଙ୍କ ଚୟନ ପ୍ରାୟ ନିଶ୍ଚିତ  । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ସୁରକ୍ଷିତ ରହିବ  । ରିଙ୍କୁ ସିଂ ଜଣେ ଫିନିସର୍ ଭାବରେ ଖେଳିବେ  । ତାଙ୍କୁ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇପାରିବ  । ଦ୍ରୁତ ବୋଲରଙ୍କ ମଧ୍ୟରେ ଜସପ୍ରୀତ ବୁମରା ମୟଙ୍କ ଯାଦବ, ମୋହସିନ୍ ଖାନ୍, ମହମ୍ମଦ ସିରାଜଙ୍କ ମଧ୍ୟରେ ପ୍ରତିଯୋଗିତା ରହିଛି  । ସ୍ପିନର ଭାବେ କୁଲଦୀପ ଯାଦବଙ୍କ  ଓ ଅକ୍ଷର ପଟେଲ ଖେଳିବେ । ସୂଚନାଯୋଗ୍ୟ ଯେ, ଜୁନ୍ ୧ରୁ ଟି -୨୦ ବିଶ୍ୱକପ୍ ଆରମ୍ଭ ହେବ  । ଭାରତ ଜୁନ୍ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ  । ଜୁନ୍ ୯ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଭେଟିବ  ।