କ’ଣ ହେବ ସମ୍ବିତଙ୍କ ଭାଗ୍ୟ ?

Sambit Patra, Puri Politics, Odisha Rajniti

କ’ଣ ହେବ ସମ୍ବିତଙ୍କ ଭାଗ୍ୟ ?

ପୁରୀ ସଂସଦୀୟ କ୍ଷେତ୍ରରେ ଏବେ ରାଜନୀତି ସରଗରମ ହେବାରେ ଲାଗିଛି  । ଏଥର ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର  । ସେପଟେ ଗତଥର ଭୁବନେଶ୍ୱରରେ ଅପରାଜିତାଙ୍କ ଠାରୁ ପରାଜୟର ସାମ୍ନା କରିଥିବା ଅରୂପ ପଟ୍ଟନାୟକ ପ୍ରଥମ ବିଜୟ ପାଇଁ ଆଶା ରଖିଛନ୍ତି  । ସମ୍ବିତ ନିଜର ସଂଗଠନ ଓ ମୋଦିଙ୍କ ହାୱା ଉପରେ ଭରସା ରଖିଥିବାବେଳେ ଅରୂପଙ୍କର ଭରସା ନବୀନ ଓ ଶଙ୍ଖ ଚିହ୍ନ ଉପରେ ରହିଛି  ।

୨୦୧୯ରେ ପିନାକୀ ମିଶ୍ରଙ୍କ ଠାରୁ ମାତ୍ର ୧୨ ହଜାର ଭୋଟରେ ହାରି ଯାଇଥିଲେ ସମ୍ବିତ  । ପୁରୀ ରାଜନୀତିରେ ପିନାକୀଙ୍କ ବେଶ ପରିଚିତି ଥିଲେ ବି ନବାଗତ ସମ୍ବିତ ଜୋରଦାର ଟକ୍କର ଦେଇଥିଲେ  । ପୁରୀରୁ ସମ୍ବିତ ୨୭ ହଜାର ଅଧିକ ଭୋଟ ପାଇଥିବାବେଳେ ବ୍ରହ୍ମଗିରିରେ ବି ଅଧିକ ୫ ହଜାର ଭୋଟ ହାତେଇ ନେଇଥିଲେ  । ଅପରପକ୍ଷରେ ସତ୍ୟବାଦୀରେ ୧୪ ହଜାର, ପିପିଲିରେ ୧୩ ହଜାର, ରଣପୁରରେ ୨ ହଜାର ଓ ନୟାଗଡ଼ରେ ୧୨ ହଜାର ଭୋଟ ଅଧିକ ପାଇଥିଲେ ପିନାକୀ  । ସେହିପରି ନିଜ ଅଞ୍ଚଳ ଚିଲିକାରୁ ମାତ୍ର ୩ ହଜାର ଲିଡ଼୍‌ ନେଇଥିଲେ  ।

ତେବେ ହାରିବା ପରେ ମଧ୍ୟ ସମ୍ବିତ ଗତ ୫ ବର୍ଷ ଧରି ସଂଗଠନ କରି ଆସୁଛନ୍ତି  । ୭ଟି ଯାକ ନିର୍ବାଚନମଣ୍ଡଳୀର ବିଜେପି ନେତାଙ୍କ ସହ ସେ ଯୋଗସୂତ୍ରରେ ରହି ଆସିଛନ୍ତି  । କିନ୍ତୁ ଅରୂପ ପୁଣିଥରେ ଭୁବନେଶ୍ୱରରୁ ଲଢ଼ିବାକୁ ଆଶା ରଖିଥିଲେ  । ତେଣୁ ପୁରୀ ରାଜନୀତି ଉପରେ ତାଙ୍କର ସେତେଟା ନଜର ନଥିଲା  । ଏବେ ତାଙ୍କୁ ବିଜେଡ଼ି ଟିକେଟ ଦେଇଥିବାବେଳେ ସେ ବିଜୟ ପାଇଁ ବିଧାୟକଙ୍କ ସଂଗଠନ ଓ ନବୀନଙ୍କ ହାୱା ଉପରେ ହିଁ ନିର୍ଭର କରୁଛନ୍ତି  । ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡ଼ି ମଜବୁତ ଥିବାରୁ ଅରୂପ ବିଜୟର ଆଶା ରଖିଛନ୍ତି  । ସେପଟେ ନୟାଗଡ଼ରେ ଇରାନୀ ବିଜେପି ଛାଡ଼ି ଦେଇଥିବାରୁ ସମ୍ବିତଙ୍କ ଅଡୁଆ ମଧ୍ୟ ବଢ଼ିଯାଇଛି  । ତେବେ ପୂର୍ବଭଳି ପୁରୀ ଓ ବ୍ରହ୍ମଗିରିରେ ସମ୍ବିତ ଭଲ ଭୋଟ ପାଇବାର ସମ୍ଭାବନା ରହିଛି  । ଏଥର ଚିଲିକାରେ ବି ସମ୍ବିତ ଭଲ ଭୋଟ ଭିଡ଼ିବେ ବୋଲି ଚର୍ଚ୍ଚା ହେଉଛି  । ୨୦୧୯ ଭଳି ଏଥର ମଧ୍ୟ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ  । ତେବେ ମୋଦି ହାୱା ସମ୍ବିତଙ୍କୁ ନିର୍ବାଚନୀ ବୈତରଣୀ ପାର କରିବ ନା ଗତଥର ଭଳି ଅଳ୍ପକେ ପୁରୀ ହାତଛଡ଼ା ହେବ ତାହା ଉପରେ ନଜର ରହିଛି  ।