ପରକୀୟା ପ୍ରୀତି: ଘର ମାଲିକଙ୍କ ଜୀବନ ଗଲା
ନୀଳଗିରି : ପ୍ରେମ ଶାସ୍ୱ୍ୱତ ଓ ଅମର । ମାତ୍ର କାମନା ବାସନାରେ ବଶବର୍ତ୍ତୀ ହୋଇ ଶାରୀରିକ ସମ୍ପର୍କ ରଖିବାର ହୀନ ପ୍ରୟାସ ଶେଷରେ ଜଣକର ଜୀବନ ଯିବାଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଲାବଣ୍ୟଦେଇପୁର ପଞ୍ଚାୟତ କୁଟୁରିଆ ଗ୍ରାମର ଶ୍ରୀରାମ ସିଂଙ୍କ ଘରେ ଦୁଇଜଣ ଭଡ଼ାଟିଆ ଘରଭଡ଼ା ନେଇ ରହିଆସୁଥିଲେ । ରାଇରଙ୍ଗପୁର ଜାମଦା ବ୍ଲକ ଅଞ୍ଚଳର ଅଶୋକ ସେଠୀ ଉକ୍ତ ଘରେ ଭଡାଟିଆ ଭାବେ ରହି ଷ୍ଟୁଡିଓ କରି ଦୋକାନ ଚଳାଉଥିବାବେଳେ ଅନ୍ୟଜଣେ ଭଡାଟିଆ ମଧ୍ୟ ପରିବାର ସହ ଭଡାରେ ରହିଆସୁଥିଲେ । ଘଟଣା ଚକ୍ରରେ ଉଭୟ ପରିବାର ମଧ୍ୟରେ ଘନିଷ୍ଠତା ବଢିଥିଲା । କାଳକ୍ରମେ ଅଶୋକ ସେଠୀଙ୍କ ସହ ଅନ୍ୟ ଭଡ଼ାଟିଆ ସ୍ତ୍ରୀଙ୍କ ମଧ୍ୟରେ ଚୋରା ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏକଥା ଘର ମାଲିକ ଜାଣିବାକୁ ପାଇଥିଲେ । କାଳେ ଘଟଣା ପ୍ରଘଟ ହୋଇଯିବ ତେଣୁ ସବୁଦିନ ପାଇଁ ଘର ମାଲିକ ଶ୍ରୀରାମଙ୍କୁ ରାସ୍ତାରୁ ହଟାଇ ଦେବାକୁ ଅଶୋକ ଅନ୍ୟଜଣେ ସାଙ୍ଗ ଅଶୋକ ମହାନ୍ତଙ୍କ ସହାୟତା ଲୋଡିଥିଲା । ଉଭୟ ସୁଯୋଗ ଉଣ୍ଡି ଗତ ବୁଧବାର ରାତିରେ ଶ୍ରୀରାମଙ୍କୁ କୌଶଳ କରି ଘରୁ ଡାକିନେଇଥିଲେ । ପରେ ଉଭୟ ଏକ ମଟର ସାଇକେଲରେ ବସାଇ ବରହମପୁର ଥାନା କଳାକାଦ ନିକଟ ଭାଗାକିଆରୀ ନିକଟ ତିନିକୋଶିଆ ଜଙ୍ଗଲରେ ହତ୍ୟାକରି ଖସି ପଳାଇଥିଲେ । ରାତିରେ ସ୍ୱାମୀ ଘରକୁ ନ ଆସିବାରୁ ସ୍ତ୍ରୀ ମାଳତୀ ହେମ୍ବ୍ରମ୍ ଶରତ ଥାନାରେ ସ୍ୱାମୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ତେବେ ଅନ୍ଧାରରେ ସ୍ୱାମୀ ଘରୁ ଯିବାବେଳେ ଅଶୋକ ସେଠୀଙ୍କୁ ସ୍ତ୍ରୀ ମାଳତୀ ଚିହ୍ନି ପାରିଥିବା ବେଳେ ସନେ୍ଦହ ହେବାରୁ ଘଟଣା ସମ୍ପର୍କରେ ଥାନାରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଶରତ ଥାନା ପୁଲିସ୍ ସନେ୍ଦହରେ ଅଶୋକ ସେଠୀକୁ ଅଟକ ରଖି ପଚରାଉଚରା ପରେ ଅଭିଯୁକ୍ତ ସମସ୍ତ ଘଟଣା ମାନିଯାଇଥିଲା । ପରେ ଶରତ ପୁଲିସ୍ ବରହମପୁର ପୁଲିସର ସହାୟତାରେ ଗତ ଶନିବାର ରାତି ୩ଟା ସମୟରେ ଅଭିଯୁକ୍ତ ଅଶୋକକୁ ଆଣି ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଶବ ଚିହ୍ନଟ କରିଥିଲେ । ରବିବାରି ସାଇଣ୍ଟିଫିକ୍ ଟିମ୍ ସହିତ ଉଦଳା ପୁଲିସ୍ ମୃତ ଶ୍ରୀରାମର ପତ୍ନୀ ମାଳତୀ ସହିତ ଆସି ଶବ ଚିହ୍ନଟ କରିବା ସହିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉଦଳା ନେଇଯାଇଥିବା ଜଣାପଡିଛି । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।