ସମୀରଙ୍କୁ ସମର୍ଥନ କରି ବିଜେଡି କର୍ମୀଙ୍କ ସାମୂହିକ ଇସ୍ତଫା

 ନିମାପଡ଼ା/ଗୋପ: ନିର୍ବାଚନ ଯେତିକି ପାଖେଇ ଆସୁଛି ନିମାପଡାରେ ରାଜନୈତିକ ମାହୋଲ ସେତିକି ଗରମ ହେବାରେ ଲାଗିଛି । ଓଡିଶା ରାଜନୀତିରେ ନିମାପଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଗଡ଼ ଭାବେ ବେଶ୍ ପରିଚିତ । କାରଣ ବିଜେଡିରୁ ସମୀର ରଞ୍ଜନ ଦାଶ ତିନି ଥର ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମାତ୍ର ଚଳିତ ନିର୍ବାଚନରେ ବିଜେଡି ରାଜ୍ୟ ସଭାପତି ଶ୍ରୀ ଦାଶଙ୍କୁ ଟିକେଟ ନଦେଇ ଅଳ୍ପ ଦିନ ତଳେ ବିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଥିଲେ । ଏହାର ପ୍ରତିବାଦରେ ଶ୍ରୀ ଦାଶଙ୍କ ସମର୍ଥକ ମାନେ ବାରମ୍ବାର ଟିକେଟ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ । ମାତ୍ର ରାଜ୍ୟ ସଭାପତି ଏହା ନ ଶୁଣିବାରୁ ଗତ ମାସ ୨୦ତାରିଖ ରେ ଶ୍ରୀ ଦାଶଙ୍କ ପ୍ରାୟ ୨୫ରୁ ୩୦ ହଜାର ସମର୍ଥକ ଏବଂ ପଂ·ୟତ ଓ ବ୍ଲକର ନେତୃତ୍ୱମାନେ ବାରବାଟୀ ପଡ଼ିଆରେ ଏକ ବିଶାଳ ପ୍ରତିବାଦ ସଭା କରି ଟିକେଟ ପରିବର୍ତନ ପାଇଁ ରାଜ୍ୟ ସଭାପତିଙ୍କୁ ପୁନର୍ବାର ଅନୁରୋଧ କରିଥିଲେ । ଏହା ପରେ ଶନିବାର ସ୍ଥାନୀୟ ସହିଦ ଭବନ ପଡିଆ ଠାରେ ଶ୍ରୀ ଦାଶଙ୍କ ପ୍ରାୟ ୩ହଜାର ସମର୍ଥକ ଏବଂ ନିମାପଡା ଓ ଗୋପ ବ୍ଲକର ୪୬ପଞ୍ଚାୟତର ସଭାପତି, ଉପସଭାପତି,ଯୁବ ସଭାପତି,ଛାତ୍ର ସଭାପତି,ମହିଳା ସଭାପତି,ଦୁଇ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା,ନଗର ସଭାପତି,୪୧ଜଣ ସମବାୟ ସମିତି ସଭାପତି, ୫୮ଜଣ ନିର୍ବାଚିତ ପ୍ରତିନିଧି, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ଓ ବିଜେଡି ମିଡ଼ିଆ ସେଲର ୩ଜଣ କର୍ମକର୍ତ୍ତା ପ୍ରମୁଖ ସମୂହ ଇସ୍ତଫା ପତ୍ର ବିଧାୟକ ଶ୍ରୀ ଦାଶଙ୍କୁ ଦେଇଛନ୍ତି । ରାଜ୍ୟ ବିଜେଡି ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁ) ଯୋଗଦେଇ କହିଲେ ଯେ, ନିମାପଡ଼ା ଏକ ଶିକ୍ଷିତ ନିର୍ବାଚନ ମଣ୍ଡଳୀ । ବିଧାୟକ ସମୀର ରଞ୍ଜନ ଦାଶ, ବିଜେଡି ରାଜ୍ୟ କର୍ମକର୍ତ୍ତା ସ୍ମୃତି ପ୍ରକାଶ ନନ୍ଦ, ବ୍ଲକ ସଭାପତି ଅଶୋକ କୁମାର ସାହୁ, ମଧୁସୂଦନ ପାଇକରାୟ, ଶଙ୍କର ଭୋଇ, ବ୍ଲକ ଅଧ୍ୟକ୍ଷା ଝୁନୁ ମଲିକ, ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।