ନାମାଙ୍କନ ଦାଖଲ କଲେ ଧର୍ମେନ୍ଦ୍ର
ସମ୍ବଲପୁର,: ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଜିଲ୍ଲାପାଳଙ୍କ ନିକଟରେ ୪ସେଟ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ସପତ୍ନୀକ ସମଲେଇ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସେ ମାଁ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଏକ ବିରାଟ ପଟୁଆରରେ ବାହାରିଥିଲେ । ସମଲେଇ ମନ୍ଦିରରୁ ଏହି ପଟୁଆର ବାହାରି ବାଲିବନ୍ଧା, କୁଲେପଡ଼ା, ଝାଡୁଆପଡା, ନନ୍ଦପଡା, ହାଟପଡା ଦଳେଇପଡା, ମ୍ୟୁନିସିପାଲଟି ଅଫିସ ଛକ ଦେଇ ଜିଲ୍ଲପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ଅନେକ ସ୍ଥାନ ଓ ଛକରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିବାବେଳେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭାର ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସିବ ସାହୁ, ରବି ନାରାୟଣ ନାଏକ, ନାଉରୀ ନାଏକ ଓ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମୃଦୁଳା ଠାକୁର, ସମ୍ବଲପୁର ବିଧାୟକଙ୍କ କନ୍ୟା ଶୁଭଶ୍ରୀ ମିଶ୍ର ସାମିଲ ରହିଥିଲେ । ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ରିଟର୍ଣ୍ଣି ଅଧିକାରୀ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଠାରେ ମନୋନୟନ ପତ୍ର ଦାଖଲ କରିଥିଲେ । ଏହି ରାଲିରେ ସମ୍ବଲପୁର ଓ ପଡୋଶୀ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଭାଗ ନେଇଥିଲେ । ଓଡ଼ିଶାର ଓ ଭାରତର ଭବିଷ୍ୟତ ଉପରେ ଏହି ନିର୍ବାଚନ ହେଉଛି । ସମ୍ପୂର୍ଣ୍ଣ ଓଡିଶା ମୋର ପରିବାର, ସମ୍ବଲପୁର ମୋର ଘର ବୋଲି କେନ୍ଦ୍ରମନ୍ତ୍ରୀ ନିଜର ମନୋନୟନ ପତ୍ର ଦାଖଲ ପରେ କହିଥିଲେ । ଆଜିଠୁ ସମ୍ବଲପୁରବାସୀଙ୍କ ଦାୟିତ୍ୱ ନେଉଛି ବୋଲି ଏହି ଅବସରରେ କହିଥିଲେ ।