ନିର୍ବାଚନୀ ପ୍ରସଙ୍ଗରେ ଦାରଦ୍ର୍ୟ ଦୂରୀକରଣ
ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମରୁ ଉଷ୍ମତର ହେବାରେ ଲାଗିଛି । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଦେଶର ଦାରିଦ୍ର୍ୟ ନିର୍ବାଚନର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି । ୧୯୫୨ ମସିହାରେ ଦେଶରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ମଧ୍ୟ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପ୍ରସଙ୍ଗ ଥିଲା ।୧୯୭୧ର ଲୋକସଭା ନିର୍ବାଚନରେ ଇନ୍ଦିରାଗାନ୍ଧି “ଗରିବୀ ହଟାଓ” ସ୍ଲୋଗାନ ଦେଇଥିଲେ । କୁହାଯାଏ ଯେ ଇନ୍ଦିରାଗାନ୍ଧିଙ୍କ ପ୍ରମୁଖ ସଚିବଙ୍କ ପରାମର୍ଶ କ୍ରମେ ଏହି ସ୍ଲୋଗାନ ସ୍ଥିର କରାଯାଇଥିଲା । ଏବେ ୨୦୧୪ରେ ଯେତେବେଳେ ଭାରତରେ ୧୮ଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଯାଉଛି ସେତିକିବେଳେ ମଧ୍ୟ ଏହି ଦାରିଦ୍ର୍ୟ ଦୂରୀକରଣ ଏକ ପ୍ରସଙ୍ଗ ହୋଇଛି । ପାର୍ଥକ୍ୟ ଏତିକି ଯେ ବର୍ତ୍ତମାନ ଶାସନରେ ଥିବା ବିଜେପି ସରକାର ତାଙ୍କ କାର୍ଯ୍ୟକାଳ ସମୟରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମା ରେଖା ତଳୁ ଉଠିଛନ୍ତି ବୋଲି କହୁଛନ୍ତି । ବିରୋଧୀ ଦଳମାନେ କିନ୍ତୁ ଭିନ୍ନ ଭିନ୍ନ ସଂଖ୍ୟା ଦେଖାଇ ବିଜେପି ସରକାରର ଏହି ଦାବିକୁ ଭୁଲ ବୋଲି ପ୍ରମାଣିତ କରିବାର ଚେଷ୍ଟା କରୁଛନ୍ତି ।
ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଏକ ଜନସଭାରେ କଂଗ୍ରେସ ନେତା ରାହୁଳ ଗାନ୍ଧି ଓ ଇଣ୍ଡିଆ ମେଣ୍ଟକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ରାହୁଳଙ୍କ ଉଦେ୍ଦଶ୍ୟରେ କହିଥିଲେ ଯେ “କଂଗ୍ରେସର ରାଜକୁମାର ଗୋଟିଏ ଝଟକାରେ ଦେଶରୁ ଦାରିଦ୍ର୍ୟ ହଟାଇ ଦେବେ ବୋଲି କହୁଛନ୍ତି, ତେବେ ଏଇ ଯାଦୁକର ଜଣକ ଏତେ ବର୍ଷ ହେଲା ଥିଲେ କେଉଁଠି? ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ୫୦ ବର୍ଷ ପୂର୍ବେ ଇନ୍ଦିରାଗାନ୍ଧି ‘ଗରିବୀ ହଟାଓ’ ସ୍ଲୋଗାନ ଦେଇଥିଲେ । ୨୦୧୪ ପୂର୍ବରୁ କଂଗ୍ରେସ ମଧ୍ୟ୧୦ବର୍ଷ ଶାସନ କରୁଥିଲା ହେଲେ ଏବେ କେମିତି ତାଙ୍କୁ ଦାରିଦ୍ର୍ୟ ଦୂର କରିବାର ମନ୍ତ୍ର ମିଳିଗଲା । ଏମିତି କହି କଂଗ୍ରେସ ହାସ୍ୟାସ୍ପଦ ହେଉଛି ବୋଲି କହିଥିଲେ ମୋଦି । ୨୦୧୪ର ପ୍ରାରମ୍ଭରେ ଦେଶର ନୀତି ଆୟୋଗ କହିଥିଲେ ଯେ ବିଗତ ୯ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି । ଭାରତର ସମୁଦାୟ ଜନସଂଖ୍ୟାରେ ଗରିବଙ୍କ ଅନୁପାତ ମାତ୍ର ୫ ପ୍ରତିଶତରୁ ଅଧିକ ନୁହେଁ ବୋଲି ମଧ୍ୟ ନୀତି ଆୟୋଗ ଏକଥା କହିଥିଲେ ସେଇ ଆଧାରକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି । ଯେଉଁ ସର୍ବେକ୍ଷଣକୁ ଆଧାର କରି ନୀତି ଆୟୋଗଙ୍କ ସିଇଓ କହିଥିଲେ ଯେ ଦେଶର ସମୁଦାୟ ଜନସଂଖ୍ୟାର ୫ ପ୍ରତିଶତ ହୋଇଛନ୍ତି ଗରିବ ସେଇ ସର୍ବେକ୍ଷଣ ୨୦୨୨ ଅଗଷ୍ଟମାସରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୮୭୨୩ ଗ୍ରାମ ଏବଂ ୬୧୧୫ ସହରର ୨୬୧୭୪୫ ଘରକୁ ସାମିଲ କରାଯାଇଥିଲା । ଏଥିମଧ୍ୟରୁ ୬୦ ପ୍ରତିଶତ ଗ୍ରାମାଞ୍ଚଳର ଘର ବା ପରିବାର ଏବଂ ୪୦ ପ୍ରତିଶତ ସହରାଞ୍ଚଳର ପରିବାରରୁ ସର୍ବେକ୍ଷଣ ଟିମ୍ ତଥ୍ୟ ସଂଗ୍ରହ କରିଥିଲେ । ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଥିଲା ଯେ ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଗ୍ରାମାଞ୍ଚଳର ବ୍ୟକ୍ତି ଖର୍ଚ୍ଚ ୩୦୯୪ଟଙ୍କା ଏବଂ ସହରାଞ୍ଚଳର ପ୍ରତି ବ୍ୟକ୍ତିଙ୍କ ଖର୍ଚ୍ଚ ୪୯୬୩ ଟଙ୍କାରୁ ଅଧିକ ନୁହେଁ । ସବୁଠାରୁ ଗରିବ ୫ ପ୍ରତିଶତ ଗ୍ରାମାଞ୍ଚଳର ଲୋକ ୧୩୭୩ ଟଙ୍କାରେ ଓ ସହରାଞ୍ଚଳ ଲୋକେ ୨୦୦୧ ଟଙ୍କାରେ ଗୁଜୁରାଣ ମେଣ୍ଟାଇଥାନ୍ତି । ହିସାବ କଲେ ଗ୍ରାମାଞ୍ଚଳ ଲୋକଙ୍କ ଦୈନଦିନର ଖର୍ଚ୍ଚ ୪୫ ଟଙ୍କା ଓ ସହରାଞ୍ଚଳ ଲୋକଙ୍କର ଦୈନିକ ଖର୍ଚ୍ଚ ୬୬ ଟଙ୍କା । ଦେଶର ୫ ପ୍ରତିଶତ ଲୋକଙ୍କ ଅବସ୍ଥା ଏଇଆ ।
ହାଭାର୍ଡ ବିଜିନେସ ସ୍କୁଲରେ ପଢିଥିବା ଏବଂ ଡକ୍ଟର ମନମୋହନ ସିଂହଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ପି.ଚିଦାମ୍ବରମ ନୀତି ଆୟୋଗର ଏହି ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି କହୁଛନ୍ତି । ପି.ଚିଦାମ୍ବରମ ଦେଶରେ ୫ ପ୍ରତିଶତ ଗରିବ ଅଛନ୍ତି ବୋଲି ଯାହା ବିଜେପି ସରକାର କହୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ ଯଦି ସରକାର ଯାହା କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ “ଯଦି ସରକାର ଯାହା କହୁଛନ୍ତି ଠିକ୍ ତେବେ ସରକାର କାହିଁକି ୮୦ କୋଟି ଲୋକଙ୍କୁ ମାସିକ ୫ କେଜି ଲେଖାଁଏ ମାଗଣା ଖାଦ୍ୟଶସ୍ୟ ଦେଉଛନ୍ତି?” ଅର୍ଥଶାସ୍ତ୍ର ସ୍ୱାମୀନାଥନ ଆୟର ମଧ୍ୟ ନୀତି ଆୟୋଗର ସର୍ବେକ୍ଷଣ ଠିକ ବୋଲି ମାନୁନାହାଁନ୍ତି । ଇଂରାଜୀ ସମ୍ବାଦପତ୍ର ଟାଇମ୍ସ ଅଫ୍ ଇଣ୍ଡିଆରେ ସ୍ୱାମୀନାଥନ ଏକ ନିବନ୍ଧ ଏ ପ୍ରସଙ୍ଗରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ସର୍ବେକ୍ଷଣର ତଥ୍ୟ ଏବଂ ଏହାର ବିଶ୍ଳେଷଣ ଉଭୟେ ତ୍ରୁଟିପୂର୍ଣ୍ଣ । ଅର୍ଥଶାସ୍ତ୍ରୀ ସୁରଜିତ ଭାଲ୍ଲା ମଧ୍ୟ ଏହି ରିପୋର୍ଟ ଉପରେ ଏକମତ ନୁହଁନ୍ତି । ଏମାନଙ୍କ ମତରେ ୨୦୧୧-୧୨ରୁ ଅଦ୍ୟାବଧି ମାତ୍ର ଦୁଇ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଭାଲ୍ଲାଙ୍କ ମତରେ ଦୈନିକ ୭୦ଟଙ୍କାରୁ କମ୍ ବ୍ୟୟ କରୁଥିବା ଲୋକ ଗରିବ । କିନ୍ତୁ ନୀତି ଆୟୋଗ ପକ୍ଷରୁ ସର୍ବେକ୍ଷଣ ସଠିକ୍ ବୋଲି କୁହାଯାଉଛି । ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ଲୋକଙ୍କ ବାବଦରେ ଆକଳନ ପାଇଁ ସୀମାରେଖା ଉପରକୁ ଉଠିଥିବା ଲୋକଙ୍କ ବାବଦରେ ଆକଳନ ପାଇଁ ନୀତି ଆୟୋଗ ପକ୍ଷରୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନଯାପନ ପ୍ରଣାଳି ଭଳି ମାପଦଣ୍ଡକୁ ଆଧାର କରାଯାଇଥିଲା ବୋଲି କୁହାଯାଇଛି । ସୂଚନା ଯୋଗ୍ୟ ଯେ କିଏ କେତେ ଗରିବ ସେ ବାବଦରେ ଜାଣିବା ପାଇଁ ବ୍ୟକ୍ତିର ଆୟ ବା ତାର ଖର୍ଚ୍ଚ କରିବାର କ୍ଷମତାର ଆକଳନ କରାଯାଇଥାଏ । ହଙ୍ଗର ଓ୍ୟାଚ ନ୍ୟାସନାଲ ସର୍ଭେର ତଥ୍ୟ ଅନୁସାରେ ୨୦୧୨ ଡିସେମ୍ବରରୁ ୨୦୨୨ ଜାନୁୟାରୀ ମଧ୍ୟରେ ଲୋକଙ୍କ ଆୟ ବା ରୋଜଗାର ହ୍ରାସ ପାଇଛି । ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କର ଖାଇବା ପିଇବାରେ ମଧ୍ୟ ଅବ୍ୟବସ୍ଥା ଦେଖାଦେଇଥିଲା । ହଙ୍ଗର ଓ୍ୟାଚର ସର୍ବେକ୍ଷଣରେ ୮୦ ପ୍ରତିଶତ ଲୋକ ଖାଦ୍ୟ ସୁରକ୍ଷାର ସମସ୍ୟା କଥା ଦର୍ଶାଇଥିଲେ । ୨୫ ପ୍ରତିଶତ ଲୋକେ କମ୍ ଖାଦ୍ୟ ଖାଉଥିବା ଏବଂ ଅନେକ ସମୟରେ ଉପବାସ ରହୁଥିବା କଥା କହିଥିଲେ । ଏତଦ୍ ବ୍ୟତୀତ ପୁ୍ୟ ରିସର୍ଚ୍ଚ ସେଣ୍ଟରର ଏକ ରିପୋର୍ଟ ଏ ପ୍ରସଙ୍ଗରେ ଅନେକ ତଥ୍ୟ ଉପସ୍ଥାପନ କରିଛି । ପୁ୍ୟ ରିସର୍ଚ୍ଚ ସେଣ୍ଟରର ତଥ୍ୟ ଅନୁସାରେ କରୋନା ମହାମାରୀ କାରଣରୁ ଦେଖାଦେଇତôବା ଆର୍ଥିକ ମାନ୍ଦାବସ୍ଥା ପାଇଁ ୨୦୨୨ରେ ଭାରତରେ ପାଖାପାଖି ୭୫ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଯାଇଥିଲେ । ଏହି ସର୍ବେକ୍ଷଣରେ ପ୍ରତିଦିନ ୨ଡଲାର (୧୬୫ଟଙ୍କା) ବା ତାଠାରୁ କମ୍ ଖର୍ଚ୍ଚରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ଗରିବ ବୋଲି ପରିଭାଷିତ କରାଯାଇଛି ।
ବର୍ତ୍ତମାନର ସରକାର ଦାରିଦ୍ର୍ୟ ଦୂରୀକରଣ ନାମରେ ଅନେକ ଯୋଜନା ଚଳାଉଛନ୍ତି ଓ ନିର୍ବାଚନରେ ଏହାକୁ ନେଇ ଲୋକଙ୍କୁ ଭୋଟ ମାଗିବାର ଯୋଜନା କରିଛି ଯାହାର ଝଲକ ବିଜ୍ଞାପନ ଏବଂ ଭାଷଣରେ ଦେଖିବାକୁ ମିଳୁଛି । ଗରିବଙ୍କୁ ନଜରରେ ରଖି କେନ୍ଦ୍ର ସରକାରକ ଚଳାଉଥିବା ଯୋଜନା ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଉପରେ ଆଧାରିତ ଏକ ଅଧ୍ୟନରୁ ଜଣାପଡ଼ିଛି ଯେ ଭାରତରେ ୧୯.୩ ପ୍ରତିଶତ ଏମିତି ଶିଶୁ ଅଛନ୍ତି ଯେଉଁମାନଙ୍କୁ ଠିକ୍ ଭାବରେ ଆହାର ଦିଆଯାଇପାରୁନାହିଁ । ଭାରତ ପରେ ଆଫ୍ରିକୀୟ ଦେଶ ଗୁଆନାରେ ଏଭଳି ଶିଶୁଙ୍କ ସଂଖ୍ୟା ୨୧.୮ ପ୍ରତିଶତ ଏବଂ ମାଲିରେ ୨୦.୫ ପ୍ରତିଶତ । ବଙ୍ଗଳାଦେଶରେ ଏହି ହାର ୫.୬ ପ୍ରତିଶତ, ପାକିସ୍ଥାନରେ ୯.୨ ପ୍ରତିଶତ,କଙ୍ଗୋରେ ୭.୪ ପ୍ରତିଶତ, ନାଇଜେରିଆରେ ୮.୮ ପ୍ରତିଶତ ଏବଂ ଇଥୋପିଆରେ ୧୪.୮ ପ୍ରତିଶତ ଜିରୋ ଫୁଡ ଚିଲଡ୍ରେନ ଥିବା କଥା ଜଣାପଡ଼ିଛି । ଅବଶ୍ୟ ଏଭଳି ସର୍ବେକ୍ଷଣ ଓ ସର୍ବେକ୍ଷଣ କରୁଥିବା ସଂସ୍ଥାମାନଙ୍କର ସତ୍ୟତା,ବାସ୍ତବତା ଓ ବିଶ୍ୱସନୀୟତାକୁ ପ୍ରସଙ୍ଗ କରି ଅନେକ ବିତର୍କ ଓ ଚର୍ଚ୍ଚା ଜାରି ରହିଛି ।
ରାମଚନ୍ଦ୍ରପୁର, ରଣପୁର