ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିର୍ବାଚନୀ ସମୀକ୍ଷା
ଢେଙ୍କାନାଳ : ମଙ୍ଗଳବାର ପୁର୍ବାହ୍ନରେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀକାନ୍ତ ପୃଷ୍ଟି ଢେଙ୍କାନାଳ ଲୋକସଭା ଓ ୪ ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ରାଜସ୍ୱ ଆୟୁକ୍ତ ମହିଷାପାଟ ସ୍ଥିତ ଇଭିଏମ୍ ୱେଟ୍ହାଉସ୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ଡିସିଆର୍ ପରିଦର୍ଶନ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟ ଠାରେ ସଦ୍ଭାବନା ସଭାଗୃହଠାରେ ସେ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟ ସଂପର୍କରେ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ନିର୍ବାଚନ ସମୟରେ ଯେପରି କୌଣସି ବ୍ୟକ୍ତିଙ୍କର ଜୀବନହାନୀ ନଘଟେ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀମାନେ ସର୍ବାଧୀକ ଗୁରୁତ୍ୱ ଦେବାକୁ କହିଥିଲେ । ସେକ୍ଟର ଅଫିସରଙ୍କ ଗାଡିରେ ମେଡିକାଲ୍ ଟିମ୍ର ବ୍ୟବସ୍ଥା କରାଯିବା, ଆବଶ୍ୟକ ସ୍ଥଳେ ଜଳଛତ୍ର ବ୍ୟବସ୍ଥା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଟାନମାନଙ୍କୁ ନିୟୋଜିତ କରାଯିବା, ଅଂଶୁଘାତ ପ୍ରତି ବିଶେଷ ସତର୍କ ରହିବା ସହିତ ଆଇନଗତ ବିଶୃଙ୍ଖଳା ପ୍ରତି ସଜାଗ ରହିବାକୁ ପୁଲିସ୍ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଫେକ୍ ନ୍ୟୁଜ୍ ଓ ନିଶା କାରବାର ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ବିଭିନ୍ନ ମୋଟିଭେସନ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ଭୋଟରଙ୍କୁ ଆକୃଷ୍ଟ କରାଇବାକୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନୋଡାଲ୍ ଅଫିସର ଜ୍ୟୋତିଶଙ୍କର ସାହୁ ବୈଠକରେ ଅବଗତ କରାଇଥିଲେ ।
ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା- ଜିଲ୍ଲାପାଳ ଅମିତ୍ ଋତୁରାଜ୍ ସାଧାରଣ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ହେଉଥିବା ବିଭିନ୍ନ ପ୍ରଶିକ୍ଷଣ ଏବଂ ବ୍ୟବସ୍ଥା ସଂପର୍କରେ ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ସମସ୍ତ ଆର୍ଓ-ତଥା- ଉପଜିଲ୍ଲାପାଳ, ଆର୍ଓ. ଶ୍ରୀମତୀ ଅନୀତା ପାତ୍ର (ଏ.ଡି.ଏମ୍) (ଆର୍), ସମସ୍ତ ଏଆର୍ଓ, ତହସିଲଦାର ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନିର୍ବାଚନ କାର୍ଯ୍ୟକୁ ଦାୟୁତ୍ୱବାନ୍ ହୋଇ ନିଷ୍ଠାର ସହିତ କାର୍ଯ୍ୟକରାଇ ଆଚରଣବିଧି ଅନୁପାଳନ ପୂର୍ବକ ମୁକ୍ତ ଅବାଧ ନିର୍ବାଚନ ନିମନ୍ତେ ଯତ୍ନବାନ ହେବାକୁ ଆୟୁକ୍ତ ଶ୍ରୀ ପୃଷ୍ଟି ପରାମର୍ଶ ଦେଇଥିଲେ