ସଫଳ ଚାଷୀ କ୍ରିଷ୍ଣା ମୁଣ୍ଡା

 ଚମ୍ପୁଆ: ଚମ୍ପୁଆ ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ନୂଆ ଗାଁ ହୁଡି ସାହିର କ୍ରିଷ୍ଣା ମୁଣ୍ଡା ନିଜକୁ ଜଣେ ସଫଳ ଚାଷୀ ଭାବେ ପରିଚିତ କରାଇପାରିଛନ୍ତି । ଆର୍ଥିକ ଅନାଟନ ଯୋଗୁଁ ୧୦ମ ଶ୍ରେଣୀ ପାଠ ପଢିଥିବା କ୍ରିଷ୍ଣା କିଛି ବର୍ଷ ତଳେ ପାରମ୍ପାରିକ ଚାଷ କରି ନିଜର ପରିବାରର ଗୁଜୁରାଣ ମେଂଟାଉଥିଲେ । ମାତ୍ର ପରମୂହୁର୍ତରେ ପାରଂପାରିକ ଚାଷ ଠାରୁ ନିଜକୁ ଦୂରେଇ ଦେଇ ଋତୁ ଅନୁଯାୟୀ ଚାଷ ଉପରେ ଗୁରୁତ୍ୱ ଦେବା ସହିତ ନିଜକୁ ଆର୍ଥିକ ସ୍ୱାବଲମ୍ବି କରିପାରିଥିବା କହିଛନ୍ତି । ପିତାଙ୍କ ପଦାଙ୍କ ଅନୁସରଣ କରି ପ୍ରଥମେ ଧାନ ଚାଷ କରୁଥିବା କ୍ରିଷ୍ଣା ସେତେଟା ସଫଳ ହୋଇପାରିନଥିବା ବେଳେ ପରେ ପରେ ସ୍ଥାନୀୟ ବଜାରରୁ ଚାହିଦା ଲକ୍ଷ କରି ଚାଷର ପ୍ରଣାଳୀ ସହିତ ବିଭିନ୍ନ ପ୍ରକାର ଚାଷ ଉପରେ ଗୁରୁତ୍ୱ ଦେଲେ । ତରଭୁଜ ଚାଷ ପ୍ରଥମେ ତାଙ୍କୁ କ୍ଷତି ପହଁଚାଇଥିବା ବେଳେ ପରେ ଏହି ଚାଷ ତାଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କା ଲାଭ ଦେଇଥିଲା । ଏହି ଚାଷ ସହିତ ନିଜ ଧାନ ଚାଷରୁ ସଂଗ୍ରହ କରାଯାଇଥିବା ନଡା ଦ୍ୱାରା ଛତୁ ଚାଷ ଆରମ୍ଭ କରିଥିଲେ । ସ୍ଥାନୀୟ ପରିଡା ସିଡସ୍ ଦୋକାନରୁ ଛତୁ ମଂଜି ସଂଗ୍ରହ କରିବା ସହିତ ଛତୁ ଚାଷର ପ୍ରଣାଳି ଅନୁଯାୟୀ ନିଜ ଘର ଭିତରେ ଏହା ଆରମ୍ଭ କରିଥିଲେ । ବର୍ଷର ୩ ମାସ ଏହି ଚାଷକୁ ଗୁରୁତ୍ୱ ଦେଇ ଚାଷ କରିବା ସହିତ ବେଶ ଲାଭବାନ ହୋଇପାରିଛନ୍ତି । ମାର୍ଚ୍ଚ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ଛତୁ ଚାଷ କରି ମାସକୁ ୧୫ ରୁ ୨୦ ହଜାର ଟଙ୍କା ରୋଜଗାର କରିଥାନ୍ତି । ବାଇଗଣ, ବିଲାତି, ଜହ୍ନି, କାକୁଡି ଆଦି ପନିପରିବା ଚାଷ ମଧ୍ୟ ତାଙ୍କୁ ଆଜି ସଫଳତା ଦେଇପାରିଥିବା ବେଳେ ନିଜ ବାଡିରେ ଏକ ଗ୍ରୀନ ହାଉସ କରିବାକୁ ସେ ବିଭାଗକୁ ନିବେଦନ କରିଛନ୍ତି । ଏ ନେଇ ବ୍ଲକ କୃଷି ଅଧିକାରୀ ନୀଳ ମାଧବ ଦାସଙ୍କ ଯୋଗାଯୋଗ କରିବାରୁ କହିଛନ୍ତି ଯେ ତାଙ୍କର ଗ୍ରୀନ ହାଉସ ବାବଦରେ ଉଦ୍ୟାନ କୃଷି ବିଭାଗ ସହ ସେ ଆଲୋଚନା କରିବେ ଏବଂ କ୍ରିଷ୍ଣା ମୁଣ୍ଡା ଯେ କୌଣସି ମୂହୁର୍ତରେ କୃଷି ଜନିତ ପରାମର୍ଶ ଆଶା କରିବେ ତାଙ୍କୁ ସହାୟତା କରାଯିବ ।