ଝିଅ ବି କମ୍ ନୁହଁନ୍ତି
ଭୁବନେଶ୍ୱର : ବାପାଙ୍କ ପରେ ପୁଅ ହୁଏ ରାଜନୀତିକ ଉତ୍ତରାଧିକାରୀ । କିନ୍ତୁ ଏଥର ରାଜ୍ୟର କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସାନଖେମୁଣ୍ଡିରୁ ଏଥିର ଲଢୁଛନ୍ତି ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ । ଧରାକୋଟର ସେ ହେଉଛନ୍ତି ପ୍ରତୀକାତ୍ମକ ରାଜା । ଜେଜେ ଅନନ୍ତ ନାରାୟଣ ସିଂହଦେଓ, ଜେଜେ ମା’ ଶାନ୍ତି ଦେବୀ, ବାପା କିଶୋର ଚନ୍ଦ୍ର ସିଂହଦେଓ ଏବଂ ମା’ ନନ୍ଦିନୀ ଦେବୀଙ୍କ ପରେ ସେ ଏବେ ବିଜେଡ଼ି ଟିକେଟରେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଆଳିରୁ ଏଥର କଂଗ୍ରେସ ଟିକେଟରେ ଲଢୁଛନ୍ତି ଡାକ୍ତର ଦେବସ୍ମିତା ଶର୍ମା । ଡାକ୍ତରୀ ବୃତ୍ତିକୁ ସେ ପେଶା କରିଥିବାବେଳେ ଏବେ ଚାକିରୀ ଛାଡ଼ି ରାଜନୀତିକୁ ଆସିଛନ୍ତି । ଜେଜେ ଦିବାକର ନାଥ ଶର୍ମା ଓ ବାପା ଦେବେନ୍ଦ୍ର ଶର୍ମା ବିଧାୟକ ଥିବାବେଳେ ଏବେ ସେ ମଧ୍ୟ ବିଧାନସଭାକୁ ଯିବା ପାଇଁ ଅଙ୍କ କଷୁଛନ୍ତି । ଝିଅର ନିର୍ବାଚନ ପାଇଁ ବାପା ଘର ଡିହ ବିକ୍ରି କରିବା ଘଟଣା ମଧ୍ୟ ବେଶ ଚର୍ଚ୍ଚା ସୃଷ୍ଟିକରିଛି ।
ନବରଙ୍ଗପୁରରେ ଏବେ ବାପା ଓ ଝିଅ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି । ବାପା ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଝିଅ ଲିପିକା ଡାବୁଗାଁ ବିଧାନସଭାରୁ ନିର୍ବାଚନ ଲଢୁଛନ୍ତି । ପେଶାରେ ଡାକ୍ତର ଥିବା ଲିପିକା ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଭୁଜବଳ ଡାବୁଗାଁରୁ ୩ ଥର ବିଧାୟକ ହୋଇଛନ୍ତି । ଏକଦା କଂଗ୍ରେସର ଟାଣୁଆ ନେତା ଥିଲେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର । ଦିନେ ବାପାଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଥିଲେ ଝିଅ ଉପାସନା । ହେଲେ ଏବେ ସେ ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏଥର ବ୍ରହ୍ମଗିରିରୁ ବିଜେପି ଟିକେଟରେ ସେ ନିର୍ବାଚନ ଲଢୁଛନ୍ତି । ୨୦୧୯ରେ ତାଙ୍କର ବୟସ ହୋଇନଥିବାରୁ ସେ ନିର୍ବାଚନ ଲଢ଼ିପାରିନଥିଲେ । ନୂଆ କରି ରାଜନୀତିରେ ପାଦ ଥାପିଛନ୍ତି ସୋଫିଆ ଫିରଦୌସ୍ । ତାଙ୍କ ବାପା ମହମ୍ମଦ ମୋକିମ ହେଉଛନ୍ତି ବାରବାଟୀ କଟକର ବିଧାୟକ । ଏକ ଦୁର୍ନୀତି ମାମଲାରେ ମୋକିମଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା । ଯେଉଁଥିପାଇଁ ସେ ଏଥର ନିର୍ବାଚନ ଲଢ଼ିପାରିବେ ନାହିଁ । ତେଣୁ ବାପାଙ୍କ ପଲଟିକାଲ ଲିଗାସୀକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସୋଫିଆ । କଂଗ୍ରେସ ଟିକେଟରେ ସେ ପ୍ରଥମ ବିଜୟ ହାସଲ କରିବାକୁ ଆଶା ରଖିଛନ୍ତି ।