ସ୍ୱାଧୀନକୁ ଆପଣେଇ କି ନୀଳଗିରିବାସୀ?
ନୀଳଗିରିରୁ ଭଗବାନ ମହଲ : ସାରା ଭାରତବର୍ଷରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ବାଲେଶ୍ୱର ଜିଲ୍ଲାରେ ଲୋକସଭା ପ୍ରାର୍ଥୀ ପାଇଁ ତିନି ପ୍ରମୁଖ ବିଜେପି, ବିଜେଡ଼ି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନୀଳଗିରି ବିଧାନସଭା କ୍ଷେତ୍ର ପାଇଁ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେଡ଼ି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ନୀଳଗିରିକ ଝୁଲାଇ ରଖିଛି । ତେବେ ଆଗାମୀ ମେ’ ୭ତାରିଖରୁ ୧୦ତାରିଖ ମଧ୍ୟରେ ନାମାଙ୍କନ ଭରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ କାହିଁକି ଏପର୍ଯ୍ୟନ୍ତ ତିନିଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ତାହା ଏବେ ନୀଳଗିରିବାସୀଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦ୍ୱନ୍ଦରେ ରହିଥିବା ନୀଳଗିରିବାସୀ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆପଣେଇ ନେବେକି । ଯାହା ଅନୁମାନ କରାଯାଉଛି ସମସ୍ତ ଦଳ ବିଜେଡ ଉପରେ ଆଖି ରଖିଛନ୍ତି । ବିଜେଡ଼ିରେ ଦୁଇ ପ୍ରମୁଖ ଆଶାୟୀ ସୁକାନ୍ତ ଓ ସନ୍ତୋଷ ସେମାନଙ୍କର ଶକ୍ତି ବୃଦ୍ଧି କରିଚାଲିଥିବା ବେଳେ ଉଭୟଙ୍କୁ ନେଇ ଦଳ ଚିନ୍ତାରେ ଅଛି । ଏମାନଙ୍କ ମଧ୍ୟରୁ ଜଣେ ବଳି ପଡ଼ିବାକୁ ଥିବା ବେଳେ ଦଳ କାହାକୁ ଟିକେଟ ଦେବ ଏନେଇ ଦ୍ୱିବିଧାରେ ଥିବା ବେଳେ ଅନ୍ୟଜଣକୁ କିପରି ସନ୍ତୁଷ୍ଟ କରାଯିବ ତାହା ଏବେ ଦେଖିବାକୁ ବାକି ରହିଲା । ସୁକାନ୍ତ ବିଜେପି ଛାଡ଼ି ବିଜେଡିରେ ଯୋଗଦାନ ପରେ ନୀଳଗିରିରେ ଅଡୁଆ ପରିସ୍ଥିତି ଦେଖିବାକୁ ମିଳିଛି । ଯଦି ଦଳ ସୁକାନ୍ତଙ୍କୁ ଟିକଟ ଦିଏ ତାହେଲେ ସନ୍ତୋଷ ଦଳପାଇଁ ବୁମେରାଂ ହୋଇପାରନ୍ତି । ସନ୍ତୋଷ ନିଜର ପୁରୁଣା ଦଳକୁ ଡେଇଁପଡ଼ିବାର ଚିନ୍ତା ବିଜେଡିକୁ ଘାରିଛି । ବିଜେପି ମଧ୍ୟ ସନ୍ତୋଷଙ୍କୁ ଆପଣେଇ ପାରେ ବୋଲି ଶୁଣିବାକୁ ମିଳୁଛି । ଅପରପକ୍ଷରେ ବିଜେପି ଓ କଂଗ୍ରେସ ମଧ୍ୟ ବିଜେଡିର ଏହି ଅଛିଡା ଅଙ୍କର ଫାଇଦା ନେଇପାରେ । ଶେଷରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆପଣେଇ ନେଇ ତିନି ପ୍ରମୁଖ ଦଳକୁ ଚକମା ଦେବାକୁ ଅଣ୍ଟା ଭିଡ଼ି ନେବେ କି ବୋଲି ରାଜନୈତିକ ବିଶ୍ଳେଷକ ମାନେ ଅନୁମାନ କଲେଣି ।