ଶୃଙ୍ଖଳିତ ଶ୍ରୀକାନ୍ତ ବିଦ୍ରୋହର ମଞ୍ଜି ପୋତିଥିଲେ

ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଶ୍ରୀକାନ୍ତ ସାହୁ ସେ ଜଣେ ଶୃଙ୍ଖଳିତ କର୍ମୀ ବୋଲି ପ୍ରେସ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି । ପ୍ରେସକୁ ନିଜର ମତ ଦେଇ ବିଜେଡ଼ି ଧର୍ମଶାଳା କ୍ଷେତ୍ରରେ କରିଥିବା ପ୍ରାର୍ଥୀ ଚୟନକୁ ନେଇ ଅଙ୍ଗୁଳି ଉଠାଇଛନ୍ତି । ଯାହାଙ୍କୁ ଦଳ ଟିକେଟ ମିଳିଛି, ତାଙ୍କ ପାଇଁ ଆମର କିଛି କହିବାର ନାହିଁ । ଦଳରେ ଯାହା ଚାଲିଛି ତାହା ଠିକ ଚାଲିନି । ବିଜେଡ଼ି ପ୍ରାଇଭେଟ କମ୍ପାନୀ ହୋଇଛି । ବିଦେଶ ଶକ୍ତି କାମ କରୁଛନ୍ତି । ଧର୍ମଶାଳା ୨୦୦୦ ମସିହାରୁ ଫିକ୍ସି ସିଟ୍ ହୋଇରହିଛି । ଆଇନଶୃଙ୍ଖଳା ଯାହା ସମସ୍ତଙ୍କୁ ଜଣା । ଏଭଳି କିଛି କଥା କହିଥିବା ଶ୍ରୀକାନ୍ତ ନିର୍ବାଚନ ବହୁ ପୂର୍ବରୁ ଧର୍ମଶାଳାରେ ବିଦ୍ରୋହର ମଞ୍ଜି ପୋତିଥିିଲେ । ନିଜକୁ ନବୀନ ଲିଗାସି ବୋଲି କହି ଶ୍ରୀକାନ୍ତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଥିଲେ । ସହସ୍ରାଧିକ ମହିଳାଙ୍କୁ ଏକାଠି କରି ବିଧାୟକଙ୍କୁ ଟାର୍ଗେଟ କରିଥିଲେ । ଶ୍ରୀକାନ୍ତ ବିଧାୟକଙ୍କ ଦୁର୍ନୀତିର କଥା ବାରବାର ଉଠାଇଥିଲେ । ଧର୍ମଶାଳା ଦୁର୍ନୀତି ଡ଼ୁବିଛି, ବିଧାୟକ ଦୁର୍ନୀତିକୁ ପ୍ରୋସôାହିତ କରୁଛନ୍ତି ଇତ୍ୟାଦିର ଅଭିଯୋଗ ଆଣି ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିବା କଥା ଉଠାଇଥିଲେ । ଶ୍ରୀକାନ୍ତ ବିଧାୟକଙ୍କ କଟର ବିରୋଧୀ ହୋଇପଡ଼ିଥିଲେ । ବିଜେଡ଼ିରେ ଥାଇବି ଗୋଟିଏ ପରିବାରରୁ ବାପା ପରେ ପୁଅକୁ ବିଧାୟକ ପ୍ରାର୍ଥୀ କରାନଯାଇ ତାଙ୍କୁ ସୁଯୋଗ ଦେବାକୁ ଅନ୍ୟଙ୍କ ପାଟିରେ କୁହା କରାଇଥିଲେ । ଛାତ୍ର ଜୀବନରୁ ରାଜନୀତିରେ ଥିବା ଶ୍ରୀକାନ୍ତ ଧର୍ମଶାଳାରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିଲେ । ହେଲେ  ଦଳ ପ୍ରଣବଙ୍କ ଉପରେ ଭରସା କଲା । ପ୍ରଣବଙ୍କ ବିକଳ୍ପ ହୋଇପାରିନଥିବା ଶ୍ରୀକାନ୍ତ କିଛିମାସ ତଳୁ ଧର୍ମଶାଳାରେ ବିଦ୍ରୋହ ମଞ୍ଜି ପୋତିଥିବା ବେଳେ ଏବେ ଆଲୋଡ଼ା ହୋଇ ଦଳ ଛାଡ଼ିବାର ଟିପାଟିପ୍ପଣୀ ଯୋର ଧରିଛି ।