ପ୍ରାର୍ଥୀ ପରିବର୍ତ୍ତନ ପାଇଁ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା

ପୁରୀ,: ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଳା କଂଗ୍ରେସରେ ତେଜିଛି କନ୍ଦଳ ଓ ଅସ୍ଥିରତା । ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନକୁ କେନ୍ଦ୍ର କରି ଆଜି ଜିଲ୍ଳା କଂଗ୍ରେସ କମିଟି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ହଠାତ୍ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଯିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ କାଲି କଂଗ୍ରେସ ପ୍ରାର୍ଥୀ ରୂପେ ସୁଜିତ ମହାପାତ୍ର ପୁରୀ ବିଧାସନଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ଆଜି ହଠାତ୍ ତାଙ୍କ ଟିକେଟ ପରିବର୍ତ୍ତନ କରାଯାଇ ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଟିକେଟ ଦେଇଥିଲା । ଟିକେଟ ପରିବର୍ତ୍ତନ ଖବର ପାଇ ସୁଜିତଙ୍କ ସମର୍ଥକମାନେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟକୁ ଯାଇ ହୋହଲ୍ଲା କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସୂଚନା ଯୋଗ୍ୟଯେ ପୁରୀ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିଥିବା ସୁଚରିତା ପଟ୍ଟନାୟକ ଟିକେଟ ଫେରାଇ ଦେବା ପରେ ପୁରୀ କଂଗ୍ରେସ ରାଜନୀତିରେ ପରିବର୍ତ୍ତନ ଘଟିଥିଲା । ଲୋକସଭା ଆସନ ପାଇଁ କଂଗ୍ରେସ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ୟନାୟକଙ୍କ ନାମ ଗତକାଲି ଘୋଷଣା କରିଥିଲା । ଏହା ପରେ ଆଜି ପ୍ରାର୍ଥୀ ବଦଳାଯାଇ କଂଗ୍ରେସର ବରିଷ୍ଠ ନେତା ଉମାବଲ୍ଲଭ ରଥ ପୁରୀ ବିଧାନସଭା ଆସନରୁ ଲଢିବେ ବୋଲି ଘୋଷଣା କରାଯାଇଥିଲା । ଫଳରେ ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିଲା ହଙ୍ଗାମା । ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଟିକେଟ ଦେଇ ବିଜେଡ଼ିକୁ ଜିତାଇବା ପାଇଁ କଂଗ୍ରେସ ହାତ ମିଳାଇଛି ବୋଲି ସୁଜିତ ମହାପାତ୍ର ଓ ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ।