ନଦୀଘାଟକୁ ରାସ୍ତା ବନ୍ଦ; ପୁଲିସ ଓ ତହସିଲ୍ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଦଶ


 ନିଆଳି: ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ ସାଇଲୋବଡବିଲ ଗ୍ରାମବାସୀନ୍ଦା ଦୀର୍ଘ ଶହ ଶହ ବର୍ଷରୁ ବ୍ୟବହାର କରି ଆସୁଥିବା ନଦୀ ବନ୍ଧରୁ ଏକ ସଂଯୋଗୀ ରାସ୍ତାକୁ ଉକ୍ତ ଗ୍ରାମର ମୁଷ୍ଟିମେୟ କେତେ ଜଣ ବ୍ୟକ୍ତି ବାଉଁଶ ବାଡ ଦେଇ ବନ୍ଦ କରିବା ସହିତ ଦଳିତ ଓ ସବର୍ଣ୍ଣ ମାନଙ୍କୁ ଉକ୍ତ ରାସ୍ତା ଦେଇ ନଯିବାକୁ ବାରଣ କରିଥିବା ଅଭିଯୋଗରେ ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ କଟକ ଙ୍କ ଇଜିଲାସରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ ଘଟଣାର ତଦନ୍ତ ଭାର କଣ୍ଟାପଡା ତହସିଲ୍ଦାର୍ ଓ ଗୋବିନ୍ଦପୁର ଥାନା ନିରୀକ୍ଷକଙ୍କ ଉପରେ ନ୍ୟସ୍ତ ହୋଇଛି । ତଦନ୍ତ ରିପୋର୍ଟକୁ ଭିତ୍ତି କରି ପରବର୍ତ୍ତୀ ଶୁଣାଣୀ ଆସନ୍ତା ୩୦.୦୪.୨୦୨୪ରେ ହେବାକୁ ମାଜିଷ୍ଟ୍ରେଟ୍ ତହସିଲ୍ଦାର୍ ଓ ଗୋବିନ୍ଦପୁର ଥାନା କର୍ତ୍ତୁପକ୍ଷଙ୍କୁ ଅବଗତ କରିଛନ୍ତି ଅଭିଯୋଗ ଅନୁଯାୟୀ, ସାଇଲୋବଡବିଲ ଗ୍ରାମଟି ଦେବୀ ଓ କନ୍ଦଳ ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଇଲାକା ରେ ଅବସ୍ଥିତ । ଗ୍ରାମରେ ଲୋକେ ମୁଖ୍ୟ ନଦୀବନ୍ଧରୁ ନିଜର ସ୍ୱାନ, ଶୌଚ ଆଦି ନିତ୍ୟ ନୈମିତ୍ତିକ କାର୍ଯ୍ୟ ନିମନ୍ତେ କନ୍ଦଳ ନଦୀକୁ ଯାଇଥାନ୍ତି । ଏମିତିକି ଶହ ଶହ ବର୍ଷରୁ ଉକ୍ତ ନନୀପଠାର ଶ୍ମଶାନ ରେ ହିନ୍ଦୁ ରୀତି, ନୀତି ଅନୁଯାୟୀ ଦାହ, ସଂସ୍କାର ହୋଇଥାଏ, ଘାଟରେ ଲୋକେ ସଂସ୍କାର ସାରି ସ୍ନାନ କାର୍ଯ୍ୟ କରି ଆସୁଛନ୍ତି । ଏହାର ଗୁରୁତ୍ୱ ଅନୁଭବ କରି ସରକାର ଉକ୍ତ ବନ୍ଧରୁ ଏକ ମୋରମ ରାସ୍ତା ଓ ପରେ ଏହାକୁ କ୍ରମୋନ୍ନିତ କରି ସିମେଣ୍ଟ ଢଳେଇ ରାସ୍ତା ନିର୍ମାଣ କରିଛନ୍ତି । ମାତ୍ର ଗ୍ରାମର ଆଚାର୍ଯ୍ୟ ପରିବାର ର ମୁଷ୍ଟମେୟ କେତେ ଜଣ ଗତ ୧୨.୦୪.୨୦୨୪ରେ ଏହି ରାସ୍ତାକୁ ବାଉଁଶ ବାଡ ଦେଇ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରି ଦେଇଛନ୍ତି । ତେବେ ରାସ୍ତାଟି ଯେତେବେଳେ ସରକାରଙ୍କ ପକ୍ଷରୁ ମୋରମ ଓ ପରେ ସିମେଣ୍ଟ ଢଳେଇରେ ପରିଣତ ହେଲା ସେତେବେଳେ କେହି ଜଣେ ବି ଏହାର ପ୍ରତିବାଦ ନକରି ଏବେ ଲୋକଙ୍କ ଯାତାୟତ କାହିଁ ବନ୍ଦ କରୁଛନ୍ତି? ସେଥି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ବନ୍ଦ କରାଯିବା ଯୋଗୁ ଲୋକଙ୍କ ସ୍ୱାଭାବିକ ଜୀବନଯାତ୍ରା ଓ ନିତ୍ୟ ନୈମିତ୍ତିକ କାର୍ଯ୍ୟ ଠପ୍ ହୋଇଯାଇଛି । ଲୋକ ପ୍ରବଳ ରୌଦ୍ରତାପରେ ନଦୀ ଜଳକୁ ଯିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।