ପାରମ୍ପାରିକ ବିହୁ ନୃତ୍ୟରେ ଦର୍ଶକ ବିଭୋର
ତାଳଚେର : ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଚାଲିଥିବା ଲୋକ ମହୋସôବର ୫ମ ସନ୍ଧ୍ୟାରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ସିଂହ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଓ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରି ଓଡିଶା ତଥା ତାଳଚେର ପାଇଁ ଗୌରବ ଆଣି ଦେଇଥିବା ଅନିମେଷ ପ୍ରଧାନ ପ୍ରମୁଖ ଯୋଗ ଦାନ କରି ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡର ସଦସ୍ୟ ରାଜେନ୍ଦ୍ର କୁମାର ସିଂହ,ଅରୁଣ କୁମାର ପ୍ରଧାନ,ସଞ୍ଜୟ ସାହୁ ଓ ଗଗନ ବିହାରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଆସାମର କଳାକାରମାନେ ପାରମ୍ପରିକ ବିହୁ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ପାରିଥିଲେ । ସେହିପରି ଜଟଣୀର ନୀଳଶୈଳ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ଶିବ ତାଣ୍ଡବ ଓ ବାଙ୍କୀର ସିଂଘମ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ଓଡଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ଅନୁଗୋଳର ନୃତ୍ୟାୟନୀ ଓ ଆଦୃତା ଅନୁଷ୍ଠାନର କଳାକାରମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଶୋଭନା ମିଶ୍ର ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତାଳଚେର ସହକାରୀ ଜିଲ୍ଲପାଳ ନାରାୟଣ ସେଠୀ, ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତି ଦେହୁରୀ, ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରା ଓ ନିରାକାର ରାଉଳ ପ୍ରମୁଖ ସହଯୋଗ କରିଥିଲେ ।